ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ନଭେମ୍ବର ୨୦୨୨
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲାରେ ପର୍ଦ୍ଦାଫାଶ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ପରେ ଏବେ ଓଡ଼ିଶାର ରାଜନୈତିକ ମହଲରେ ଇଡିକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ଏତିକିବେଳେ ଇଡିର ୬ ଜଣିଆ ଟିମ୍ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ଅର୍ଚ୍ଚନା କିଭଳି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ଓ କେଉଁମାନଙ୍କ ସୂତ୍ରରୁ ଏତେ ଅର୍ଥ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି ଏନେଇ କିଛି ତଥ୍ୟ ଇଡି ହାତରେ ଲାଗିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଇଡିର ତଦନ୍ତ ଆରମ୍ଭ ହେବାପରେ ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଛନକା ପଶିଛି । ଅର୍ଚ୍ଚନା ଓ ରାଜନେତାଙ୍କ ମଧ୍ୟରେ ଥିବା ସଂପର୍କର ଝଡ଼ ଥମିନଥିବା ବେଳେ ଇଡିର ତଦନ୍ତ ଆରମ୍ଭ ହେବା ଏବେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆଣିପାରେ ।
ଏହି ମାମଲାରେ ଇଡି ତଦନ୍ତ ଆଗକୁ ବଢ଼ିବ କିପରି ? ଶାସକ ଦଳ ବିଜେଡି ଓ ବିରୋଧୀ ଦଳ ବିଜେପିର ନେତାଙ୍କ ସମ୍ପୃକ୍ତି ଥିବାର ସମସ୍ତ ତଥ୍ୟ ଇଡି ସାର୍ବଜନୀନ କରିବ କି ? ଅର୍ଚ୍ଚନା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ଥିବା ନେତା ମାନଙ୍କ ନାଁ ସାମ୍ନାକୁ ଆଣିବକି ଇଡି ? ଏଭଳି ପ୍ରଶ୍ନ ମଧ୍ୟ ଏବେ ଉଠିବା ସ୍ୱାଭାବିକ । ଯଦିଓ ଗତ ୮ ବର୍ଷ ଭିତରେ ଇଡିର ତଦନ୍ତ ହାରକୁ ଦେଖାଯାଏ ତେବେ ବିଜେପି ସରକାର କେନ୍ଦ୍ରରେ ଆସିବା ପରେ ୯୯,୩୫୬ କୋଟି ଟଙ୍କା ଜବତ କରିବା ସହ ୮୮୮ ଟି କେଶ୍ ର ଚାର୍ଜସିଟି ଦେଇଛି ଏହି ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତଙ୍କ ମଧ୍ୟରୁ ୨୩ ଜଣକୁ ଦୋଷୀ ସାବ୍ୟସ୍ତ କରିପାରିଛି ଇଡି । FEMA ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୨ସୁଦ୍ଧା ଇଡି ୩୦,୭୧୬ ଟି କେଶ୍ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ୮,୧୦୯ଟି କେଶ୍ ରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୬,୪୭୨ଟି ମାମଲାରେ ୮,୧୩୦କୋଟି ଜରିମାନା ଆଦାୟ ସହିତ ୭,୦୮୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେହିପରି PMLA ଅନୁଯାୟୀ ୧ ଲକ୍ଷ କୋଟିରୁ ଅଧିକ ପରିମାଣର ଅର୍ଥ ଜବତ ହେବା ସହ ୯୯୨ଟି କେଶ୍ ରୁ ୮୬୯ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିବା ସହ ୨୩ ଜଣକୁ ଦୋଷୀ ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛି ଇଡି । ସାମଗ୍ରିକ ଭାବରେ ଇଡି ତଦନ୍ତର ମାମଲା ସଂଖ୍ୟା ୨୦୧୪-୧୫ ରେ ୧,୦୯୩ ଥିବା ବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ଆସି ପହଂଚିଛି ୫,୪୩୯ରେ ଅର୍ଥାତ୍ ଗତ ୮ବର୍ଷର ତଦନ୍ତ ହୋଇଥିବା ମାମଲାର ପରିମାଣ ୫ ଗୁଣ ବଢ଼ିଛି ।
ଇଡି ତଦନ୍ତ କରୁଥିବା ମାମଲା ମଧ୍ୟରେ ନ୍ୟାସନାଲ ହେରାଲଡ ମାମଲା, ଭୂପିନ୍ଦର ସିଂ ହନି ମାମଲା, ଆଇ ଏ ଏସ୍ ପୂଜା ସିଂଘଲ ମାମଲା, ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ମାମଲା, ଦିଲ୍ଲୀର ସତ୍ୟେନ୍ଦ୍ର ଜୈନ ମାମଲା,କାର୍ତ୍ତି ଚିଦାମ୍ବରମ୍ ମାମଲା, ମହାରାଷ୍ଟ୍ରର ପତ୍ରଚାଲ ସ୍କାମ୍ ମାମଲା ଆଦି ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲା ରହିଛି । କଂଗ୍ରେସ, ଟି ଏମ୍ ସି, ଜେ ଏମ୍ ଏମ୍, ଏନ୍ ସି ପି, ଶିବସେନା ଓ ଆପ୍ ଆଦି ରାଜନୈତିକ ଦଳର ବହୁ ନେତା ଏବେ ମଧ୍ୟ ଇଡିର ଅନେକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି । ରାଜନୈତିକ ଦୃଷ୍ଟି କୋଣରୁ ମଧ୍ୟ କିଛି ରାଜନୈତିକ ଦଳ ଓ ନେତାମାନେ ଇଡି ଭୟରେ ଚୁପ୍ ବସି ଯାଇଛନ୍ତି ।
ତେଣୁ ଏପରି ସମୟରେ ଓଡ଼ିଶାର ଅର୍ଚ୍ଚନା ନାଗ୍ ମାମଲାର ତଦନ୍ତ ଇଡି ହାତକୁ ନେବା ଦ୍ୱାରା ଆଶଙ୍କା ସୃଷ୍ଟି ହୋଇଛି । କଂଗ୍ରେସ, ଟି ଏମ୍ ସି, ଜେ ଏମ୍ ଏମ୍, ଏନ୍ ସି ପି, ଶିବସେନା ଓ ଆପ୍ ଭଳି ବିଜେଡି ପ୍ରତି ଇଡିର ଆଭିମୁଖ୍ୟ ସମାନ ରହିବ ତ ? ଯଦି ବିଜେଡି, ବିଜେପି ନେତାଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ଇଡି ପାଏ, ତେବେ ସେମାନଙ୍କୁ ସମନ କରିବ କି ଇଡି ? ଏପରିକି ଅର୍ଚ୍ଚନା ନାଗ୍ ଙ୍କ ସହ କେଉଁ କେଉଁ ଦଳର ନେତାଙ୍କ ଆର୍ଥିକ କାରବାର ଥିଲା ଓ କେଉଁ ଆକାଉଣ୍ଟରୁ ଅର୍ଚ୍ଚନା ନାଗ୍ ର ଆକାଉଣ୍ଟକୁ ଟଙ୍କା ଯାଉଥିଲା ତାର ପ୍ରମାଣ ଉପସ୍ଥାପିତ କରିବା ଇଡି ପାଇଁ ସହଜ ହେବ ତ ? ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ବିଜେଡି ନେତାଙ୍କ ବାବଦରେ ସିବିଆଇର ତଦନ୍ତ ଭଳି ଏହି ମାମଲାରେ ମଧ୍ୟ ଇଡି ତଦନ୍ତ କେବଳ ଗଣମାଧ୍ୟମର ଖବର ଭିତରେ ସୀମିତ ହୋଇ ଅଟକି ଯିବନି ତ ?