ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୭ ଅପ୍ରେଲ ୨୦୨୫
କଥା କଥାକେ ତୁ ଭାଙ୍ଗିପଡ଼ୁଛୁ
ଅମଣିଷମାନଙ୍କ ଅରଣ୍ୟକରଡ଼ିରେ
ଭୁଷୁଡ଼ି ପଡ଼ୁଛି ତୋ
ସୁସଜ୍ଜିତ ଇମାରତ
ତୋ ଶିରସ୍ତ୍ରାଣ, ତ୍ୱଣୀର
ସବୁକୁ ସଜକରି ରଖ।
ଭଷ୍ମାସୁରମାନଙ୍କୁ ତୁ ଚିହ୍ନିଶିଖ୍
ଛଦ୍ମବେଶରେ ସେମାନେ
ଚାରିପାଖରେ
ଆତଜାତ ହେଉଛନ୍ତି
ଯୁଦ୍ଧ କରି କରି
ଥକି ଗଲେ ବି
ପରାଜୟ ମାନିବୁନି
ପାରିବୁ ଯଦି ବାରୁଦ ଖଞ୍ଜିଦେ
ସେମାନଙ୍କ ଚାରିପାଖରେ
ତୁ ସର୍ବଜୟା
ଜଗଦ୍ଧାତ୍ରୀ
କଥା କଥାକେ ଭାଙ୍ଗି ପଡ଼ନା
ଏଇ ଦେଖ ତୋ ସାମ୍ନାରେ
ସୂର୍ଯ୍ୟୋଦୟ।






