ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୯ ଅକ୍ଟୋବର, ୨୦୨୬
ଭାରତୀୟ ସଂସ୍କୃତିରେ ବର୍ଷରେ ଦୁଇ ଥର ନବରାତ୍ର ପାଳନ ହୁଏ – “ଚୈତ୍ର ନବରାତ୍ର” ଓ “ଶରତ ନବରାତ୍ର”। ବାସନ୍ତିକ ଶକ୍ତି ପୂଜା ଅପେକ୍ଷା ଶରତ କାଳରେ ପାଳିତ ହେଉଥିବା ଦୁର୍ଗାପୂଜା ହିଁ ଅଧିକ ବ୍ୟାପକ ହୋଇଛି ଏବଂ ସର୍ବବୃହତ୍ ଶକ୍ତି ଆରାଧନା ବୋଲି ବିଦିତ ହୋଇଛି।ଏହାକୁ ଅକାଳ ବୋଧନ କୁହାଯାଏ। ପ୍ରଶ୍ନ ଉଠେ – ଶରତ କାଳରେ କେବେ ଓ କାହିଁକି ପ୍ରଥମେ ଶକ୍ତି ଆରାଧନାର ଅୟମାରମ୍ଭ ହୋଇଥିଲା ?
ଏହି ସମ୍ପର୍କରେ ସବୁଠାରୁ ପ୍ରସିଦ୍ଧ ଓ ଚର୍ଚ୍ଚିତ ବିଷୟ ଟି ରାମାୟଣରୁ ଆନୀତ। କୃତିବାସ ରାମାୟଣ ଏବଂ ଦେବୀ ଭାଗବତ ଅନୁସାରେ, ରାବଣ ବଧ ପୂର୍ବରୁ ଭଗବାନ ଶ୍ରୀରାମ ଲଙ୍କାରେ ଶଙ୍କଟରେ ଥିବାବେଳେ ବ୍ରହ୍ମାଙ୍କ ପରାମର୍ଶରେ ଶରତ କାଳରେ ଶକ୍ତି ସ୍ଵରୂପା ଦେବୀ ଦୁର୍ଗାଙ୍କୁ ଆରାଧନା କରିଥିଲେ। କିନ୍ତୁ, ପ୍ରକୃତରେ ଦେବୀଙ୍କ ବୋଧନ କାଳ ବସନ୍ତ ଋତୁ। ବସନ୍ତ କାଳରେ ଦେବତାମାନେ ଜାଗ୍ରତ ଓ ଶରତ କାଳରେ ନିଦ୍ରିତ ଥାଆନ୍ତି। ତେଣୁ ଶରତ କାଳରେ ପୂଜା ହେଉଛି ଅକାଳ ବୋଧନ। ଶ୍ରୀରାମ ଦେବୀଙ୍କୁ ଜାଗ୍ରତ କରି ୧୦୮ ନୀଳ ପଦ୍ମରେ ପୂଜା କରିଥିଲେ। ଦେବୀ ସେଥିରୁ ଗୋଟିଏ ପଦ୍ମ ଲୁଚାଇ ଶ୍ରୀରାମଙ୍କ ଭକ୍ତି ପରୀକ୍ଷା କରିଥିଲେ। ଶ୍ରୀରାମ ନିଜ ନେତ୍ରକୁ ପଦ୍ମ ଭାବେ ଅର୍ପଣ କରିବାକୁ ଉଦ୍ୟତ ହେବାରୁ ଦେବୀ ସନ୍ତୋଷ ପ୍ରକାଶ କଲେ ଓ ସ୍ଵୟଂ ପ୍ରକଟ ହୋଇ ବର ପ୍ରଦାନ କଲେ । ଶେଷରେ ରାବଣର ନିଧନ ସମ୍ଭବ ହେଲା। ମାର୍କଣ୍ଡେୟ ପୁରାଣର ଦୁର୍ଗା ସପ୍ତଶତୀରେ ମଧ୍ୟ ଶରତ କାଳରେ ମହିଷାସୁର ବଧ କଥା ବର୍ଣ୍ଣିତ ହୋଇଛି । ସର୍ବ ଦେବଦେବୀଙ୍କ ତେଜରୁ ଦୁର୍ଗାଙ୍କ ସୃଷ୍ଟି ଓ ନଅ ଦିନ ଯୁଦ୍ଧ ପରେ ଦଶମ ଦିନ ବିଜୟ – ଏହାହିଁ ବିଜୟା ଦଶମୀ। ବ୍ରହ୍ମବୈବର୍ତ୍ତ ପୁରାଣରେ ଶ୍ରୀକୃଷ୍ଣ ନିଜେ ପ୍ରଥମେ ଶକ୍ତି ଆରାଧନା ବା ଦୁର୍ଗାପୂଜା ଆରମ୍ଭ କରିଥିଲେ ବୋଲି ବର୍ଣ୍ଣନା ରହିଛି ।

ପ୍ରଥମତଃ ଶରତ କାଳ ହେଉଛି ନୂଆ ଶସ୍ୟ ଅମଳର ସମୟ। ବର୍ଷା ପରେ ଧରଣୀ ଶସ୍ୟ ଶ୍ୟାମଳା। କୃଷିଭିତ୍ତିକ ସମାଜରେ ଏହା ସମୃଦ୍ଧିର ପ୍ରତୀକ। ତେଣୁ ଶସ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବେ ଶକ୍ତି ପୂଜା। ଓଡ଼ିଶାରେ ଖରିଫ ଫସଲ ଅମଳ ହେବା ପୂର୍ବରୁ ଶକ୍ତିମୟୀ ମା’ଙ୍କୁ କୃତଜ୍ଞତା ଜଣାଇବା ହିଁ ଏହାର ସାମାଜିକ ଭିତ୍ତି। ଦ୍ୱିତୀୟତଃ, ଶରତ କାଳ ହେଉଛି ଯୁଦ୍ଧ ଯାତ୍ରାର ସମୟ। ବର୍ଷା ସମୟରେ ସେନା ଚଳାଚଳ ବନ୍ଦ ଥାଏ। ଶରତରେ ପଥ ଶୁଖିଲେ ରାଜାମାନେ ଯୁଦ୍ଧ ଯାତ୍ରା କରିଥାନ୍ତି। ତେଣୁ ବିଜୟ ପ୍ରାପ୍ତି ପାଇଁ ଶକ୍ତି ଆରାଧନା କରାଯାଉଥିବା ଅନୁମେୟ । ଏବେ ଦଶହରାରେ ଅସ୍ତ୍ର ପୂଜା, ଶମୀ ପୂଜା ଆଦି ଏହାର ଅବଶେଷ ମାତ୍ର । ତୃତୀୟତଃ, ସାମାଜିକ ଏକତା। ଶକ୍ତି ଆରାଧନା (ଦୁର୍ଗା ପୂଜା) ଗାଁ, ସାହି, ବସ୍ତି ସବୁକୁ ଏକାଠି କରେ। ଏହା ମଧ୍ୟ ଗୋଟିଏ ସାମୂହିକ ଉତ୍ସବ ଯେଉଁଠି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମା’ଙ୍କ ଆଗରେ ସମାନ। ଏହି କାରଣରୁ ସାର୍ବଜନୀନ ଶକ୍ତି ପୂଜା ବ୍ୟାପକତା ଲଭିଛି ।
ଆଧ୍ୟାତ୍ମିକ ଦୃଷ୍ଟିରୁ ଶରତ କାଳରେ ନବରାତ୍ର ହେଉଛି ସାଧନାର ଶ୍ରେଷ୍ଠ ସମୟ। ବର୍ଷା ପରେ ପ୍ରକୃତି ନିର୍ମଳ ଥାଏ, ଆକାଶ ସ୍ୱଚ୍ଛ, ମନ ସ୍ଥିର ରହେ। ଏହି ସମୟରେ ସାଧନା ଶୀଘ୍ର ସଫଳ ହୁଏ ବୋଲି ବିଶ୍ବାସ ରହିଛି। ପୁଣି ଶକ୍ତି ପୂଜାରେ ଦେବୀଙ୍କର ନଅ ଦିନରେ ନଅ ରୂପ – “ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ” – ଏହା ମଣିଷ ଚେତନାର ନଅଟି ସ୍ତର। ପ୍ରଥମ ତିନି ଦିନ ତାମସିକତାର ନାଶ – କାଳୀ, ମଧ୍ୟ ତିନି ଦିନ ରାଜସିକତା ର ଶୁଦ୍ଧି – ଲକ୍ଷ୍ମୀ, ଶେଷ ତିନି ଦିନ ସତ୍ତ୍ୱର ବିକାଶ – ସରସ୍ୱତୀ। ଏହା ହେଉଛି ଆତ୍ମଶୁଦ୍ଧିର ମହର୍ଘ ଯାତ୍ରା । ଆଉ ମଧ୍ୟ ଯୋଗ ଶାସ୍ତ୍ର ଅନୁସାରେ ନବରାତ୍ରରେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ। ଶରତ କାଳରେ ସୂର୍ଯ୍ୟ କନ୍ୟା ରାଶିରେ ଥାନ୍ତି, ଯାହା ବୁଧର ରାଶି – ବୁଦ୍ଧି ଓ ବିବେକର ପ୍ରତୀକ। ଏହି ସମୟର ପୂଜା, ଆରାଧନା, ଉପବାସ, ଜପ ଓ ଧ୍ୟାନ ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ଶାରଦୀୟ ଶକ୍ତି ପୂଜାର ଉଦ୍ଦେଶ୍ୟ ହେଉଛି ଅଶୁଭ ଉପରେ ଶୁଭର ବିଜୟର ସ୍ମରଣ। ମହିଷାସୁର କେବଳ ଏକ ପୁରାଣ ବର୍ଣ୍ଣିତ ଅସୁର ନୁହେଁ, ସେ ଆମ ଭିତରର ଅହଂକାର, କ୍ରୋଧ, ଲୋଭ ର ପ୍ରତୀକ। ଦୁର୍ଗା ହେଉଛନ୍ତି ଆମ ଭିତରେ ଥିବା ସାହସ ଓ ବିବେକ ର ଜାଗୃତି ଶକ୍ତି । ଶକ୍ତି ଆରାଧନାର ମହତ୍ତ୍ୱ ସାଂପ୍ରତିକ କାଳରେ ଆହୁରି ବଢିଛି। ଯେଉଁଠି ନାରୀ ନିର୍ଯାତନା ବଢୁଛି, ସେଠି ଶକ୍ତି ପୂଜା ନାରୀ ଶକ୍ତିର ସମ୍ମାନ ଶିଖାଏ। “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ” – ଯେଉଁଠି ନାରୀ ପୂଜିତ ସେଠି ଦେବତା ରହନ୍ତି, ଏହି କଥା ଟି ଶିକ୍ଷା ଦେଇ ସାର୍ବଜନୀନ ଶକ୍ତି ପୂଜାର ପରମ୍ପରା କ୍ରମଶଃ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇ ଉଠୁଛି ।
ଶେଷରେ ଏତିକି କୁହାଯାଇ ପାରେ, ଶାରଦୀୟ ଶକ୍ତି ଆରାଧନା କେବଳ ଏକ ମୂର୍ତ୍ତି ପୂଜା ନୁହେଁ, ଏହା ହେଉଛି ମଣିଷର ଶକ୍ତି ଚେତନାର ଜାଗରଣ। ଅନ୍ଧକାର କୁ ଆଲୋକରେ, ଭୟକୁ ନିର୍ଭୀକତା ରେ ପରିଣତ କରିବାର ବିଜ୍ଞାନ। ତେଣୁ ଆଜି ବି ଘରେ ଘରେ, ପୂଜା ମଣ୍ଡପରେ ଓ ଦେବୀ ମନ୍ଦିରରେ ଧ୍ୱନିତ ହେଉଛି ମନ୍ତ୍ରଗାନ – “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।”






