ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୭ ଅଗଷ୍ଟ ୨୦୨୫
ହେ ଗଣ ନାୟକ ସଂସାର ପାଳକ
ଇନ୍ଦୁର ବାହାନ ଧାରି ।
ମର୍ତ୍ତ୍ୟ ଲୋକେ ଆଜି ଅବତରି ଅଛ
ବିଘ୍ନହର୍ତ୍ତା ଦର୍ପହାରି ।।
ସର୍ବ ଦେବତାଙ୍କ ମଧ୍ୟେ ଅଗ୍ର ପୂଜା
ପାଇଥାନ୍ତି ଯେ ଆପଣ ।
ସିଦ୍ଧି ଦାତା ପ୍ରଭୁ ଜ୍ଞାନର ଭଣ୍ଡାର
ମାତା ପାର୍ବତୀଙ୍କ ପ୍ରାଣ ।।
ଏକଦନ୍ତ ପ୍ରଭୁ ମହା ବଳବନ୍ତ
ଭକ୍ତଙ୍କର ଦୁଃଖ ହାରୀ ।
ତୁମ ଶ୍ରୀଚରଣେ କରେ ଶ୍ରୀଗଣେଶ
ଗଜାନନ ତ୍ରିପୁରାରୀ ।।
ଗଣେଶ ଚତୁର୍ଥୀ ଆଜି ତୁମ ତିଥି
ପ୍ରାଣ ହୁଏ ପୁଲକିତ ।
ଭକ୍ତି ଅର୍ଘ୍ୟ ଦେଇ ପୂଜନ୍ତି ସକଳେ
ବହେ ଭକ୍ତି ରସାମୃତ ।।
ଚତୁର୍ମୁଖେ ବ୍ରହ୍ମା ବର୍ଣି ନ ପାରନ୍ତି
ମହିମା ଆପଣଙ୍କର ।
ଦେବ ଦେବ ମହାଦେବ ଯା’ ପିଆର
କି ବର୍ଣିବି ମୁଁ ତ ଛାର ।।
ତୁମ କରୁଣାରୁ ବଞ୍ଚିତ ଯେ ରୁହେ
ଦୁଃଖେ କାଟୁଥାଇ ଦିନ ।
ହେ କୃପା ବାରିଧି ଦୟା କ୍ଷମା ନିଧି
ଉଦ୍ଧାର ଜଗତ ଜନ ।।
ପୂଜା କରୁଛନ୍ତି ବାଲ୍ୟ ବୃଦ୍ଧ ମିଶି
ଆକାଶ ପଡେ ଉଛୁଳି ।
ଶଙ୍ଖ ଘଣ୍ଟା ଧ୍ଵନି ନାଦରେ କମ୍ପୁଛି
ଦେଉଛନ୍ତି ହୁଳ ହୁଳି ।।
ଆଜିର ଦିନଟି ବଡ଼ ଶୁଭପ୍ରଦ
ଆପଣଙ୍କ ନାମ ସ୍ମରି ।
କେତେ ଅନୁଷ୍ଠାନ ନାମ ସଂକୀର୍ତ୍ତନ
ଜାଗ ଯଜ୍ଞେ ଉଠେ ପୁରି ।।
ବିଦ୍ୟା ନିକେତନେ ବିଦ୍ୟାର୍ଥୀ ସଭିଏଁ
ଭକ୍ତି ଅର୍ଘ୍ୟ ମାନ ଦେଇ ।
ପୂଜା କରୁଛନ୍ତି ଉତ୍ସବ ମୁଖର
କି ବର୍ଣିବି ଅବା ମୁହିଁ ।।
ଆହେ ଗଣପତି ଜାଣେନି ମୁଁ ଭକ୍ତି
ପଦ କିଛି ଶ୍ରୁଜୁ ନାହିଁ ।
ତୁମ କୃପା ହେଲେ ଏ ଦୀନ ଜନରେ
ଧନ୍ୟ ହେବି ପ୍ରଭୁ ମୁହିଁ ।।
ଜ୍ଞାନ ସମୁଦ୍ରରୁ ରେଣୁ ମାତ୍ର ଦେଲେ
କିଞ୍ଚିତ କରୁଣା ବହି ।
ଧନ ଲୋଡା ନାହିଁ ଶୁଦ୍ଧି ବୁଦ୍ଧି ଦିଅ
ଦୟା କର ହେ ଗୋସାଇଁ ।।






