• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

ଅପରାହ୍ନ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଜାନୁୟାରୀ ୨୦୨୬

ସମକାଳୀନ ଓଡ଼ିଆ ସାହିତ୍ଯକୁ ଦୁଇ ଜଣ ଲେଖକ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ଜଣେ କଥାଶିଳ୍ପୀ ମନୋଜ ଦାସ ଅନ୍ଯ ଜଣେ କବି ଜୟନ୍ତ ମହାପାତ୍ର। ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି ମନୋଜ ଦାସ। ମନୀଷା ଓ ବୈଚାରିକ ଦୃଷ୍ଟିରୁ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଅନନ୍ଯ। ସମ୍ବେଦନ ବିଭବ ଓ ହୃଦୟାବେଗ ମାଧ୍ୟମରେ ସେ ଯେଉଁ ରସ ସୃଷ୍ଟି କରିଥା’ନ୍ତି, ତାହା ପାଠକକୁ ଭିନ୍ନ ଏକ ଜଗତକୁ ନେଇଯାଏ।

ଓଡ଼ିଶାର ଗଳ୍ପ ପରମ୍ପରା ପ୍ରାଚୀନ। ସପ୍ତଦଶ ଶତାବ୍ଦୀର ଶେଷ ଭାଗଠାରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଗଳ୍ପ ସାଗର ଭାବେ ଆଖ୍ଯାତ କଥକମାନେ ବୁଲିବୁଲି କାହାଣୀ କହୁଥିଲେ। ସେହି ପରମ୍ପରାକୁ ଆଧାର କରି ଯୁଗସ୍ରଷ୍ଟା ଫକୀର ମୋହନ ଯେଉଁ କଥାଶିଳ୍ପର ମହଲ ତିଆରି କଲେ ତାହାର ବୌଦ୍ଧିକ ଉତ୍ତରାଧିକାରୀ ହେଉଛନ୍ତି କଥାଶିଳ୍ପୀ ମନୋଜ ଦାସ।

ଖୁବ ଶୀଘ୍ର ଶୀଘ୍ର ସମୟ ଗଡ଼ିିଚାଲିଛି। ପ୍ରଫେସର ମନୋଜ ଦାସଙ୍କ ଦେହାବସାନକୁ ଚାହୁଁ ଚାହୁଁ କିଛିବର୍ଷ ବିତିଗଲାଣି। ଏଯାବତ୍ ମୁଁ ଭେଟିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମନୋଜ ଦାସ ହେଉଛନ୍ତି ଜାତୀୟ ସ୍ତରରେ ପ୍ରସିଦ୍ଧ ସର୍ବଶ୍ରେଷ୍ଠ ଓଡ଼ିଆ ଲେଖକ। ଏହି ଋଷିପ୍ରାଣ ଲେଖକଙ୍କ ସହ ମୋର ଦୀର୍ଘ ଚାରି ଦଶନ୍ଧି ଧରି ସମ୍ପୃକ୍ତି ଥିଲା। ତାଙ୍କ ସମ୍ବନ୍ଧିତ ଦୁଇଟି ରୋଚକ ଘଟଣା ମୁଁ ଏଠାରେ ମନୋଜପ୍ରେମୀ ପାଠକଙ୍କୁ ଜଣାଇବାକୁ ଚାହୁଁଛି।

ଜାତୀୟ ପୁସ୍ତକ ନ୍ୟାସ (ଏନବିଟି)ର ଓଡ଼ିଶା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ଭାବେ ବିଭିନ୍ନ ସମୟରେ ଏନବିଟିର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସମ୍ମାନନୀୟ ସଦସ୍ୟ ଯେମିତିକି ପ୍ରଫେସର ମନୋଜ ଦାସ ଏବଂ ଡକ୍ଟର ଜେପି ଦାସଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିବା ନିମନ୍ତେ ମୋତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ିଥାଏ। ଗୋଟିଏ ସମୟରେ ଡକ୍ଟର ସୀତାକାନ୍ତ ମହାପାତ୍ର ଏନବିଟିର ସଦସ୍ୟ ଥିଲେ। ତେବେ ଭୁବନେଶ୍ୱରସ୍ଥିତ ତାଙ୍କ ନିଜଘର ସେତେବେଳେ ମରାମତି ଚାଲିଥାଏ। ତାଙ୍କୁ ମଧ୍ୟ ରାଜ୍ୟ ଅତିଥି ଭାବେ ଘୋଷଣା କରିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ଅନୁରୋଧ କଲି। ରାଜ୍ୟ ଗୃହ ବିଭାଗ ଏହି ମାନ୍ୟତା ପ୍ରଦାନ କରିଥାଏ। ମୋର ଯେତେଦୂର ମନେପଡୁଛି ଏହା ୧୯୯୭ ମସିହାର ଘଟଣା। ପ୍ରଫେସର ମନୋଜ ଦାସ ମଧ୍ୟ ସେତେବେଳେ ଏନବିଟିର ଓଡ଼ିଆ ପରାମର୍ଶଦାତା କମିଟି ବୈଠକରେ ଯୋଗ ଦେବାକୁ ଭୁବନେଶ୍ୱରରେ ଥାଆନ୍ତି।

କିନ୍ତୁ ଏହି ମାନ୍ୟତା ମିଳିଲା ନାହିଁ। ଏ ସମ୍ପର୍କରେ କଥା ହେବା ପାଇଁ ମୁଁ ରାଜ୍ୟ ସଚିବାଳୟକୁ ଗଲି।

“ପ୍ରଫେସର ମନୋଜ ଦାସଙ୍କ ପାଇଁ ଆପଣ ସ୍ୱତନ୍ତ୍ର ଭାବେ ଚିଠିଟିଏ ଲେଖିବା ଉଚିତ ଥିଲା,” ବିଭାଗୀୟ ସଚିବ ମୋତେ କହିଲେ।

“କାହିଁକି?” ମୁଁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲି।

“ଅନ୍ୟ ଅତିଥିଜଣକ ଜଣେ ସରକାରୀ ଅଧିକାରୀ। ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ହୋଇ ଆସିଲେ ତାଙ୍କୁ ରାଜ୍ୟ ଅତିଥି ଘୋଷଣା କରାଯାଇପାରିବ। କିନ୍ତୁ ପ୍ରଫେସର ମନୋଜ ଦାସ ହେଉଛନ୍ତି ରାଜ୍ୟ ବାହାରେ ରହୁଥିବା ଜଣେ ଋଷି-ସାହିତ୍ୟିକ। ଏଭଳି ମହାନ ବ୍ୟକ୍ତିମାନଙ୍କୁ ଆମେ ସେମାନଙ୍କର ବ୍ୟକ୍ତିଗତ ପ୍ରତିଷ୍ଠା ଭିତ୍ତିରେ ସମ୍ମାନ ଦେଇଥାଉ, ସରକାରୀ ମର୍ଯ୍ୟାଦା ଯୋଗୁଁ ନୁହେଁ,” ସେ ଉତ୍ତର ଦେଲେ।

ମୁଁ ଆଉଗୋଟିଏ ଚିଠି ଲେଖିଲି, ପ୍ରଫେସର ମନୋଜ ଦାସଙ୍କ ପାଇଁ।

ଠିକ ସମାନ ଘଟଣା ଘଟିଥିଲା ଜମ୍ମୁ-କଶ୍ମୀରରେ, ୨୦୧୪ ମସିହାରେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ପୁସ୍ତକ ମେଳାର ମୁଖ୍ୟ ଅତିଥି ଥିଲେ ପ୍ରଫେସର ମନୋଜ ଦାସ, ତେବେ ଶ୍ରୀଅରବିନ୍ଦ ଆଶ୍ରମରେ ସେହିଦିନ ଅନ୍ୟକିଛି କାର୍ଯ୍ୟକ୍ରମ ଥିବା ହେତୁ ସେ ଆସିବା ପାଇଁ ମନା କରିଦେଇଥିଲେ। ଫଳତଃ ପୁସ୍ତକ ମେଳାର ଉଦଘାଟନ କରିଥିଲେ ଜମ୍ମୁ-କଶ୍ମୀରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ମେଳାର ଚତୁର୍ଥ ଦିନରେ ହେବାକୁ ଥିବା ‘ଲେଖକଙ୍କୁ ଭେଟନ୍ତୁ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଫେସର ମନୋଜ ଦାସ ସମ୍ମତି ପ୍ରଦାନ କରିଥିଲେ। ତେବେ ଏନବିଟି ଅଧ୍ୟକ୍ଷ ଏବଂ ପ୍ରଫେସର ମନୋଜ ଦାସଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦେବା ଅନୁରୋଧକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଲେ। ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସହ ମୋର ପୂର୍ବରୁ ପରିଚୟ ଥିଲା, ତେଣୁ ରାଜ୍ୟ ସଚିବାଳୟକୁ ଯାଇ ମୁଁ ତାଙ୍କୁ ଭେଟିଲି।

“ମିଷ୍ଟର ମହାପାତ୍ର, ଆପଣ ଗୋଟିଏ ବଡ଼ ଭୁଲ୍ କରିଦେଇଛନ୍ତି”, ମୁଖ୍ୟମନ୍ତ୍ରୀ କହିଲେ।

“କ’ଣ?”

“ଆପଣ ଦୁଇଟିଯାକ ନାଁ ଗୋଟିଏ ଚିଠିରେ ଏକାଠି ଲେଖିବାର ନଥିଲା। ଆମ ପାଇଁ ଏନବିଟି ଅଧ୍ୟକ୍ଷ ଜଣେ ସାଧାରଣ ସରକାରୀ ଅଧିକାରୀ। କିନ୍ତୁ ପ୍ରଫେସର ମନୋଜ ଦାସ ଜଣେ ପ୍ରଖ୍ୟାତ ଲେଖକ, ସରକାରୀ ଅଧିକାରୀ ନୁହନ୍ତି। ଗତ ଅନେକବର୍ଷ ଧରି ମୁଁ ତାଙ୍କ ଲେଖା ପଢ଼ିଆସୁଛି। ଆମ ପାଇଁ ସେ ଜଣେ ସମ୍ମାନାସ୍ପଦ ଅତିଥି।” ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ।

ଏହାପରେ ସେ ବିଭାଗୀୟ ଅଧିକାରୀଙ୍କୁ ଡାକି ପ୍ରଫେସର ମନୋଜ ଦାସଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦେବା ନିମନ୍ତେ ନିର୍ଦ୍ଦେଶ ଦେଲେ।

ମୁଁ ଜାଣିନଥିଲି ଯେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ପ୍ରଫେସର ମନୋଜ ଦାସ ଏବଂ ତାଙ୍କ ରାଜ୍ୟରେ ହେବାକୁ ଥିବା ତାଙ୍କର କାର୍ଯ୍ୟକ୍ରମ ବିଷୟରେ ବିଶଦ ତଥ୍ୟ ରଖିଛନ୍ତି ବୋଲି। ମୁଁ ଆଶ୍ଚର୍ଯ୍ୟ ହେଲି ଯେଉଁଦିନ ପ୍ରଫେସର ଦାସଙ୍କ କାର୍ଯ୍ୟକ୍ରମ ଥିଲା, ସେଦିନ କୌଣସି ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିନା ଉମର ଅବଦୁଲ୍ଲା ପୁସ୍ତକ ମେଳାରେ ପହଞ୍ଚିଥିଲେ ଏବଂ ନିରବରେ ଏକାଗ୍ରଭାବେ ତାଙ୍କ ଭାଷଣ ଶୁଣିଥିଲେ।

ମନୋଜ ଦାସଙ୍କ ମହାପ୍ରୟାଣରେ ଓଡ଼ିଆ ସାହିତ୍ଯ ସମାଜ ଓ ସଂସ୍କୃତି ଯାହା ହରାଇଲା, ତାହା ଆଗାମୀ ବହୁବର୍ଷ ପର୍ଯ୍ୟନ୍ତ ପୂରଣ ହେବା ସମ୍ଭବ ନୁହେଁ। ମୋର ସୌଭାଗ୍ଯ ଯେ ପଣ୍ଡିଚେରୀ, ଦିଲ୍ଲୀ, ସିଙ୍ଗାପୁର, କଲିକତା ,ପୁରୀ, ଭୁବନେଶ୍ୱର, କଟକ, ଶ୍ରୀନଗର ଆଦି ସ୍ଥାନମାନଙ୍କରେ ତାଙ୍କ ସହ ଅନ୍ତରଙ୍ଗ ଭାବେ ମିଶିବା, ମତ ବିନିମୟ କରିବା ଏବଂ ତାଙ୍କ ଗଳ୍ପ ସଙ୍କଳନ ତଥା ଶିଶୁ ସାହିତ୍ଯର ପାଠ ସମ୍ପାଦନା କରିବାର ସୁଯୋଗ ମତେ ମିଳିଛି। କିଛି ବିରକ୍ତି ରହିଛି କିନ୍ତୁ ମିଳିଥିବା ଆନନ୍ଦ ଏତେ ଅପରିସୀମ ଯେ ତା’ ସାମ୍ନାରେ ପାଇଥିବା ବିରକ୍ତି କିଛି ବି ନୁହେଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.