ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬
ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ। ମୁଁ ସେଇ ତିନୋଟି ସ୍ତର ଦେଇ ଗତିକରି ଏବେ ଅଜ୍ଞାତ।
ପିଲାଦିନରୁ ଡାଏରି ଲେଖା କ’ଣ ମୁଁ ଜାଣିନଥିଲି। କଲେଜର ଶେଷ ଭାଗରେ ୧୯୮୦ରେ ଇଡ୍କଲ୍ର ଜନସଂପର୍କ ଅଧିକାରୀ ଜଗଦୀଶ ପଟ୍ଟନାୟକ ମତେ ଡାଏରୀଟିଏ ଉପହାର ଦେଲେ। ସେବେଠୁ ମୁଁ ଡାଏରି ଲେଖିଆସୁଛି।
ଆତ୍ମଜୀବନୀ ଲେଖିବାର ଆଗ୍ରହ ମୋର ନଥିଲା। ବହୁ ଆତ୍ମଜୀବନୀ ପଢ଼ିବା ପରେ ମୋର ଧାରଣା ହୋଇଥିଲା, ଆତ୍ମଜୀବନୀରେ ଯାହାସବୁ ଲେଖାଯାଏ, ତହିଁରେ ବହୁ କଥା ଥାଏ ଅତିରଂଜିତ। ମନୋଜ ଦାସ ସେଥିପାଇଁ ଆତ୍ମଜୀବନୀ ଲେଖିଲେ ନାହିଁ। ନିଜ ସୃଜନ କାମରେ ଜୀବନ ଫୁଟି ଉଠିବା ଜରୁରୀ, ବିଭିନ୍ନ ରୂପରେ। ମୋର ଗଳ୍ପ, କବିତା ସବୁ ଆତ୍ମଜୀବନୀମୂଳକ। ମୋର ଇଂରାଜୀ ବହି Encountering Timeକୁ ମୋର ଖଣ୍ଡିତ ଆତ୍ମଜୀବନୀ ବୋଲି ମୁଁ ଭାବେ।
୨୦୧୬ରେ ଶିଲଂରେ ପହଂଚିବା ପରେ ମୋ ଝିଅ ମତେ ବଡ଼ ବାଇଣ୍ଡିଂ ଖାତାଟିଏ ଦେଇଥିଲା। ତା’ର ଆଶାଥିଲା, ହୁଏତ ମୁଁ ତହିଁରେ ମୋ ଆତ୍ମଜୀବନୀ ଲେଖିବି। ମୁଁ କିନ୍ତୁ ତା’ଠୁ ଲ୍ୟାପଟପ୍ ଚଳାଇବା ଶିଖିଲି ଓ ଫେସବୁକରେ ମୋ ଜୀବନର ଅନୁଭୂତିମାନଙ୍କୁ ନେଇ ଇଂରାଜୀରେ ଲେଖିଚାଲିଲି। ତହିଁରୁ କିଛି ରହିଗଲା ଓ ପରେ ମୋ ବହିରେ ଆସିଲା। କିଛି ହଜିଗଲା ଓ ପବନରେ ଉଡ଼ିଗଲା।କରୋନା କାଳରେ ଅବସର ପରେ ପୁରୀ ଆସିବା ପରେ ପତ୍ନୀ ଶୈଳବାଳା ମତେ ପୁଣିଥରେ ଆତ୍ମଜୀବନୀ ଲେଖିବାକୁ ଉତ୍ସାହିତ କଲେ।
ମତେ ରୋଷେଇ କରି ଆସେ ନାହିଁ। ବଜାର କରି ଆସେ ନାହିଁ। ମାଛ ଯେବେ କିଣେ, ପଚାମାଛ କିଣେ।ସାହିତ୍ୟକୁ ନେଇ ମତେ ରାଜନୀତି କରି ଆସେ ନାହିଁ। ପୁରସ୍କାର ପାଇବା ଲାଗି ଲୋକେ ଯେପରି ଧରାଧରି କରନ୍ତି, ମୁଁ ତାହା କରିପାରେ ନାହିଁ। ମୁଁ କୌଣସି ପୁରସ୍କାରର ଦୌଡ଼ରେ ନାହିଁ।
ଏନ୍.ବି.ଟି.ରେ ମୁଁ ୩୦ ବର୍ଷ ଥିଲି। ୧୨ବର୍ଷ ଓଡ଼ିଆ ଭାଷା କଥା ବୁଝିଛି। ମୋ ସ୍ତ୍ରୀକୁ ଭଲ ଅନୁବାଦ କାମଟିଏ ଦେଇ ପାରିନାହିଁ। ଧରାଧରି ଏକ କଳା। ମୋ ଦ୍ୱାରା ହେଲା ନାହିଁ, ଯଦିଓ ମୁଁ ମୂର୍ତ୍ତିଦେବୀ ପୁରସ୍କାର ଓ ଏକାଡେମୀ ପୁରସ୍କାରର ନିର୍ଣ୍ଣାୟକ ମଣ୍ଡଳରେ ଏକଦା ଥିଲି।
ଶେଷରେ ଭାବିଲି, ଥରେ ଆତ୍ମଜୀବନୀ ଲେଖିବାକୁ ଚେଷ୍ଟା କରିବି। ହୁଏତ ସେଥିରେ ମୁଁ ନିଜ ଜୀବନର ତିକ୍ତ ମଧୁର ଅନୁଭୂତି ଲେଖିପାରିବି।
ମୁଁ ଯେ କେବେ ମିଛ କହି ନାହିଁ, ଏଭଳି ମିଛ କଥାଟିଏ କହିପାରିବି ନାହିଁ।ତେବେ, ମିଛ କହିବାକୁ ଅନେକ ବାଟ ଅଛି। ସାହିତ୍ୟ ମିଛ କହିବାର ବାଟ ନୁହେଁ।
ହେଲେ, ମୋ ଜୀବନ ଏଭଳି ଯେ ତାହାକୁ ମହାନ୍ କହିହେବ ନାହିଁ। ଲଢ଼େଇରେ ବିତିଗଲା ଜୀବନ। ଏବେ ଜୀବନର ଶେଷ ଭାଗ। ହାତ ବି ଠିକ୍ ଚାଲୁନି। ଏତେ ପୃଷ୍ଠା କେମିତି ଲେଖିପାରିଲି, ଭାବିଲେ ଆଶ୍ଚର୍ଯ୍ୟ ହେଉଛି।
ଏବେ ମୋ ଜୀବନ ଅତୀତକୁ ମନେପକେଇ ଓ ରବୀନ୍ଦ୍ର ସଂଗୀତ ବା ଜଗଜିତ୍ ସିଂହ ଗଜଲ ଶୁଣି ବିତିଯାଉଛି। ଅନ୍ତିମ ଦିନର ଅପେକ୍ଷାରେ ମୁଁ ଅନନ୍ତ ଯାତ୍ରାରେ ଅଛି।






