ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬
ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା
ଓଡ଼ିଆର ବେଶ ଭୂଷା।
ହସ ହସ ମୁଖେ ମିଠା ମିଠା କଥା
ହରି ନିଏ ଜନ ବ୍ୟଥା।।
ଗରିବର ବନ୍ଧୁ ସଭିଙ୍କ ପାଖରେ
ବିପଦ ବେଳର ସଖା।
ପଦବୀ ରେ ଥାଇ ପଦବୀ ନଥାଇ
କରୁଥିଲେ ଆସି ଦେଖା।।
ଉଣେଇଶ ବୟାଅସି ମସିହାରେ
ହୋଇଥିଲା ବଡ଼ ବନ୍ୟା।
କଂଗ୍ରେସ ଶାସନ ଥାଏ ସେ ସମୟେ
ଦେଖିଛି ଜନ ଯାତନା।।
ବନ୍ୟା ପାଣି ଟିକେ ଛାଡ଼ିଗଲା ପରେ
ପହଞ୍ଚିଲେ ବିଧାୟକ।
ସ୍ୱଳ୍ପ ସାହାଯ୍ୟରେ ଦୁଃଖ କି ଘୁଞ୍ଚିବ
ବଢ଼ିଲା ଲୋକଙ୍କ ଭୋକ।।
ମତଲୁବ୍ ବାବୁ କହୁଥିଲେ ଖାଲି
ଯାହା ଅଛି ନିଅ ବାଣ୍ଟି।
ଭୁବନେଶ୍ୱରରେ ଯାଇ ବସିଗଲେ
ଟାଉଟର ନେଲେ ଲୁଟି।।
ବିରୂପା ଗେଙ୍ଗୁଟି ଦୋଆବ ଅଞ୍ଚଳେ
ବନ୍ୟାର ପ୍ରଭାବ ଦେଖି।
ଶ୍ରୀ ଶରତ କର ଧାଇଁ ଆସିଥିଲେ
ଦେଖିଲେ ଲୋକଙ୍କ କ୍ଷତି।।
ଘର ଘର ଯାଇ ପଚାରି ବୁଝିଲେ
ଲୋକଙ୍କ ସୁଖ ଦୁଃଖ।
ସାହାଯ୍ୟ ହାତ ବଢ଼ାଇ ଥିଲେ ସେ
ଧରି ସାଥେ ଲୋକ ବାକ।।
ବହୁ ଅନୁଷ୍ଠାନ ଆଗେଇ ଆସିଲେ
ଶରତଙ୍କ କଥା ଶୁଣି।
ରନ୍ଧା ଖାଦ୍ୟ ସାଥେ ଶୁଖିଲା ଖାଦ୍ୟ ବି
ପିଇବାର ପାଇଁ ପାଣି।।
ସେ ବେଳର କଥା ସବୁ ମନେ ନାହିଁ
ଯାହା ଥିଲା ମୋତେ ଜଣା।
ରାଜନୀତିକାର ମାନେ ଜାଣିଥିବେ
ଯେ କି ଅତି ପୁରୁଣା।।
ବିପଦ ଆପଦ ବେଳେ ଯେଉଁ ନେତା
ଥାଏ ଜନତାଙ୍କ ପାଖେ।
ତାଙ୍କ ସ୍ମୃତି ଚିରକାଳ ରହିଯାଏ
ଅମରତ୍ୱ କରି ରଖେ।।
ସମୟ ଚକ୍ରରେ ବଦଳି ଯାଇଛି
ମାହାଙ୍ଗାର ରାଜନୀତି।
ଜନତା ନେତାଙ୍କ ଦୂରତ୍ୱ ବଢ଼ିଛି
ନାହିଁ ସେ ଭାବ ପୀରତି।।






