• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବର୍ଷା

ବର୍ଷା
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ସେପ୍ଟେମ୍ବର ୨୦୨୩

ଗାଁ ଓ ସହର ର ମଝି ମଝିଆ ଜାଗାଟା, ନୀଳ ନୀଳ ଗଛ ସବୁ ଆଖପାଖ ରେ ଭର୍ତ୍ତି, ସେ ଧାଡ଼ି ଧାଡ଼ି ଗଛରେ ପୁଣି ବିଭିନ୍ନ ରକମ ଚଢେଇ ମାନଙ୍କରର କିଚିରି ମିଚିରି ଶବ୍ଦ ଆଖି ପାଉନଥିବା ଚାଷ ଜମି ଲମ୍ବିଛି ବହୁତ ଦୂରକୁ, ବିପରୀତ ଦିଗରେ ନଈ କୂଳକୁ ଯାଇ ଆକାଶକୁ ଦେଖିଲେ ସତେ ଯେପରି ପାଖକୁ ଓଲ୍ହାଇ ଆସେ ସେ ଦିଗବଳୟତା ହାତ ପାଖକୁ, ଏବେ କିନ୍ତୁ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ର ମଧ୍ୟ ଭାଗ ରେ ଜହ୍ନ କୁ ବାଦଲ ଟା ଯେପରି ବେଳେ ବେଳେ ଲୁଚାଇ ଦେଉଛି। ଏହି ମଧ୍ୟ ଆଷାଢ଼ ରେ ବାହାଘର ପାଇଁ ଗୋଟିଏ ମାତ୍ର ଶେଷ ତିଥି, ମୁକୁଳା ଆକାଶରୁ ଝିପି ଝିପି ମେଘ ଝରୁଛି ତଥାପି ବିଜିପୁର ଗାଁ ଆଜି କୋଳାହଳରେ ଉଠୁଛି ପଡୁଛି, ବ୍ଲକ ଅଫିସ ପାଖରୁ ମାତ୍ର ଅଳ୍ପ ଦୂର, କିଛି ଉଚ୍ଚ ଶିକ୍ଷିତ ମାନଙ୍କ ସହ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ ସେହି ଗାଁ ରେ ମିଳିମିଶି ରୁହନ୍ତି। ସେହି ଗାଁ ର ଗରିବ ଝିଅ ବର୍ଷା, ଭାରି ଡଉଲ ଡାଉଲ ଚେହେରା ତାର, ସୁରିଆ ପ୍ରଧାନ ର କନ୍ୟାରତ୍ନ, ବାହାଘର ହେଉଛି କୃଷି ଅଫିସର ଅମୀୟ ସାମନ୍ତରାୟ ଙ୍କ ସହ, ସମସ୍ତେ ପିଲାଠୁ ବଡ ଯାଏ ଖୁସିରେ ନାଚୁଛନ୍ତି। କାହାରି ମନ ମଧ୍ୟରେ ତା ପ୍ରତି ଈର୍ଷା କି ହିନ ମନ୍ୟତା ନ ଥିଲା।ବ୍ଲକ ପଡ଼ିଆ ଯେପରି ଜନ ସମାଗମରେ ଫାଟି ପଡ଼ୁଛି। ସମସ୍ତଙ୍କ ତୁଣ୍ଡରେ ଗୋଟେ କଥା ଭଗବାନ ଆଜି ଗରୀବର ଦୁଃଖ ଠିକ ଶୁଣିଛନ୍ତି।

ଝିଅ ଜ୍ୱାଇଁ ସତେ କି ଲକ୍ଷ୍ମୀ ନାରାୟଣ ଯୋଡି ପରି ଦିଶୁଛନ୍ତି। ବୈବାହିକ ଜୀବନ ତାଙ୍କର ସୁଖରେ କଟୁ ବୋଲି ସମସ୍ତେ କାମନା କରୁଥାନ୍ତି। ଝିଅ ବଡ଼ ହେଲେ ଭଲ ପାତ୍ରଟିଏ ଦେଖି ତାକୁ ବିବାହ ଦେବା ସବୁ ବାପା ମାଆଙ୍କର ଇଛା ଥାଏ । ହେଲେ ସୁରିଆ ପ୍ରଧାନ ସେତିକି ଭାବିବା ପାଇଁ ସମୟ କେବେ ପାଏନି। ଗରିବ ଘର ବୋଲି ରାତି ପାହିଲେ କାଲିର ଖାଦ୍ୟ ଯୋଗାଡ଼ କିପରି କରିବ ସେ ଚିନ୍ତା। ଧନୀ ଲୋକ ମାନଙ୍କ ବିଲ ଭାଗ ଚାଷ କରି ତେଲ ଲୁଣ ସଂସାର ଚଳାଇ ଥାଏ । ଝିଅ ବିବାହ କଥା କେବେ ମନକୁ ଆଣି ନଥିଲା। ହଠାତ କିନ୍ତୁ ଏତେ ବଡ଼ ଘର ର ପ୍ରସ୍ତାବ, ପୁଣି ତା ପାଖରେ ଆସି ପଂହଁଚିଛି ଖୁସିରେ କାନ୍ଦୁଥାଏ ସୁରିଆ। କଥାରେ ଅଛି ବାହା ରାଶି ଫିଟିଲେ କୁଆଡ଼େ କେହି ରଖି ପାରିବେନି। ହେଲେ ଝିଅ ଟା ତା ପାଖରୁ ଚାଲିଯିବ, ଏହା ଭାବି ନାଲି ଗାମୁଛାରେ ନିଜ ଲୁହ ନିଜେ ପୋଛି ପକାଉଥାଏ। ଝିଅ ମଥାରେ ସିନ୍ଦୁର, ହାତରେ ଚୁଡି, ପାଦରେ ଅଳତା ଓ ନାଲି ପାଟ ପିନ୍ଧି ସତେ କି ଆଜି ରାଣୀ ସାଜିଛି। ଝିଅର ଢଳ ଢଳ ନୀଳ ଆଖି ଯୋଡ଼ିକ ଯେମିତି ବିକଳରେ ତା ବାପା କୁ ଚାହିଁଛି।

ଚାରି ବର୍ଷ ତଳୁ ସ୍ତ୍ରୀ କୁ ହରାଇ ବହୁତ ଦୁଃଖ କଷ୍ଟରେ ଝିଅ ଦୁଇ ଜଣଙ୍କ ତୁଣ୍ଡରେ ଦାନା ଦେଇ ମଣିଷ କରିଛି। ହେଲେ ଭାଗ୍ୟର ବିଡମ୍ବନା ଥିଲା ଅଲଗା। ବଡ଼ ଝିଅ ଟା ଅନ୍ୟ କେଉଁ ଜାତି ପୁଅ ସହ କୁଆଡ଼େ ଚାଲିଗଲା ଯେ ଆଉ କିଛି ତାର ଖୋଜ ଖବର ପାଇଲାନି। ସୁରିଆ ଏକ ପ୍ରକାର ସେବେଠୁ ଚୁପ ହୋଇ ଯାଇଛି। ମାନସିକ ସ୍ତରରେ ଯେପରି ସମ୍ପୂର୍ଣ୍ଣ ହାରୀ ଯାଇଛି। ବର୍ଷା ଟା ତାର ବାପାଙ୍କ ସାଙ୍ଗରେ ଗଛ ଲଗାଠୁ ଆରମ୍ଭ କରି ପାଣି ଦେବା ଯାଏ ସବୁ ପ୍ରକାର ସାହାଯ୍ୟ କରେ। ଘରେ ମଧ୍ୟ ରୋଷେଇ ବାସ ସବୁ କରେ। ଏତେ କଷ୍ଟରେ ରହି ମଧ୍ୟ ତାର ପାଠ ପଢା କେବେ ଛାଡ଼ିନି।ସମସ୍ତେ କୁହନ୍ତି ସର୍ବ ଗୁଣ ସମ୍ପର୍ଣ୍ଣା ଝିଅ ଟିଏ। ଏହି କିଛି ଦିନ ହେବ ବିଜିପୁର ବ୍ଲକ କୁ କୃଷିଅଫିସର ଭାବେ ଆସିଥାନ୍ତି ଦୂର ଗାଁ ର ଅମୀୟ ବାବୁ। ପୁରା ନାମ ତାଙ୍କର ଅମୀୟ ସାମନ୍ତରାୟ। ସହରରେ ରହି ପାଠ ପଢିଛନ୍ତି, ସହରି ହାକିମ ଭଳି ଲାଗୁଛନ୍ତି। ଦେଖିବାକୁ ରୂପ ଯେପରି ତାଙ୍କ ବ୍ୟବହାର ମଧ୍ୟ ମାର୍ଜିତ। ସମ୍ଭ୍ରାନ୍ତ ଘରର ପିଲା ଭଳି ସବୁ କାର୍ଯ୍ୟକଳାପ ଓ ଚାଲିଚଳନ।ସେଠାରେ ଯୋଗଦାନ କରିବା ଦିନ ଠାରୁ ସମସ୍ତେ ତାଙ୍କର ପ୍ରସଂଶା ହିଁ ପ୍ରଶଂସା କରୁଥାନ୍ତି। ସମସ୍ତଙ୍କର ଶୁଭ ଚିନ୍ତକ ଭାବେ ସେଠାରେ ବହୁତ କମ ଦିନରେ ସମସ୍ତଙ୍କ ସହ ମିଶି ଗଲେ।ତାଙ୍କ ବାପା ଜଣେ ଧନୀ ବ୍ୟକ୍ତି ହିସାବରେ ତାଙ୍କ ନିଜ ପଂଚାୟତରେ ଜଣାଶୁଣା । କିନ୍ତୁ ଅମୀୟ ବାବୁ ଏତେ ବଡ଼ ଘରର ପୁଅ ହୋଇ ମଧ୍ୟ ଗର୍ବ ଅହଂକାର ସାମାନ୍ୟ କେହି ଲକ୍ଷ କରନ୍ତି ନାହିଁ। ସର୍ବଦା ଅନ୍ୟ ମାନକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ବ୍ଲକ ଅଫିସ କୁ ଲାଗି ସୁରିଆ ର ଖଣ୍ଡେ ଭାଗ ଚାଷ ଜମି। ବିଭିନ୍ନ ପ୍ରକାର ପନିପରିବା ଋତୁ ଅନୁସାରେ ବାପା ଝିଅ ମିଶି ସେଠାରେ ଚାଷ କରନ୍ତି । ଗୁଣ ଚିହ୍ନେ ଗୁଣିଆ, ସୁନା ଚିହେଁ ବଣିଆ ପରି ଏହାକୁ ଲକ୍ଷ କରନ୍ତି ଅମୀୟ ବାବୁ । ଯେହେତୁ ସେ ଜଣେ କୃଷି ଅଫିସର ତେଣୁ ଗଛ ଲତା ପ୍ରତି ତାଙ୍କର ଭାରି ଦୁର୍ବଳତା। ବାପା ଙ୍କ ସହ କାମ କରିବାକୁ ଯିବା ଆସିବା ସମୟରେ ବର୍ଷାର ହାବ ଭାବକୁ ମଧ୍ୟ ଲକ୍ଷ କରନ୍ତି । କିନ୍ତୁ କେବେ କିଛି କହିବାର ସୁଯୋଗ ପାଇ ନାହାନ୍ତି। ବେଳେ ବେଳେ ସାର, ଔଷଧ ଏବଂ କିଛି ଗଛ ଲଗାଇବା ପାଇଁ ପରାମର୍ଶ ନେବାକୁ ବର୍ଷା ବ୍ଲକ ଅଫିସ କୁ ଆସିଥାଏ ।

ଗଛ ପ୍ରତି ଏତେ ଆଗ୍ରହ ଦେଖି ବହୁତ ଖୁସି ହୋଇ ଯାଆନ୍ତି ଅମୀୟ ବାବୁ ।ତାର ରୂପ ଗୁଣ ଓ ପରିଶ୍ରମ ଦେଖି ମନେ ମନେ ଭାବୁଥିଲେ ଏମତି ଝିଅ ଟି ଜୀବନ ସାଥି ହେଲେ ବହୁତ ଖୁସି ହୁଅନ୍ତା। ସେତିକି ସମୟ ଭିତରେ ଅମୀୟ ବାବୁଙ୍କ ଆନ୍ତରିକ ଇଛା ମନ ମଧ୍ୟରେ ତିଆରି ହୋଇ ସାରିଥିଲା।ତାର ସ୍ୱଳ୍ପ ସମୟର ଉପସ୍ଥିତି ଅହେତୁକ ପ୍ରଭାବ ପକାଇଥିଲା ମନରେ ଯେପରି। କେମିତି ବା କହିବେ ମନର କଥା ସବୁ। ଦିନେ ଏକୁଟିଆ ଘରକୁ ଫେରିବା ସମୟରେ ବାଟ ରେ ପଚାରିଥିଲେ ଅମୀୟ ବାବୁ, “ତମ ନା କଣ, ଆଉ ତମ ଘର କଣ ଏହି ପାଖ ଗାଁ ରେ? କୋଉଠି ପାଠ ପଢୁଛ?” ବର୍ଷା ଧୀର ସ୍ୱରରେ ସବୁ ପ୍ରଶ୍ନର ଉତ୍ତର ଦେଇ ଘରକୁ ଚାଲିଯାଇଥିଲା। ଏତିକି କଥାରେ ମନ ମାନିଲାନି ଅମୀୟ ବାବୁ ଙ୍କର। ରୁମ ରେ ଯାଇ ବସି ଭାବୁ ଥାଆନ୍ତି କେତେ ଭଲ ଝିଅ ଟା, ପାଠ ସାଙ୍ଗକୁ ପୁଣି ଏତେ ପରିଶ୍ରମୀ। କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥୁଲେ କାନ ନାହିଁ। ଯଦି ବର୍ଷା କୁ ସବୁ ପ୍ରକାର ସୁଯୋଗ ମିଳନ୍ତା ସେ ବହୁତ ଆଗକୁ ଯାଇ ପାରନ୍ତା। ବିଚରା ଅଭାବୀ ପରିବାର, କଣ ଆଉ କରିବ। ଏମତି ସବୁଦିନେ ଅଫିସର ଝରକା କୁ ଚାହିଁ ଭାବନ୍ତି ଅମୀୟ ବାବୁ। ଦିନେ ହଠାତ ସନ୍ଧ୍ୟା ରେ ସେହି ବାଟ ଦେଇ ଆସୁଥାଏ ବର୍ଷା।ବରକୋଳିଆ ବଡ଼ ବଡ଼ ମେଘ ଟୋପା ରେ ଅଧା ତିନ୍ତି ସେହି ଅଫିସ ବାରଣ୍ଡାରେ ଆସି ଠିଆ ହୋଇ ଥାଏ । ବର୍ଷା ଛାଡ଼ିଲେ ଘରକୁ ଯିବ ବୋଲି ଅପେକ୍ଷାରେ ଥାଏ। ଅମୀୟ ବାବୁ କିନ୍ତୁ ଝରକା ଦେଇ ମେଘକୁ ଉପଭୋଗ କରୁଥାନ୍ତି। ବହୁତ ସମୟ ଯାଏ ଲାଗି ରହିଥାଏ ମେଘ ଟା। କିଛି ସମୟ ପରେ ଅମୀୟ ବାବୁ ଙ୍କ ନଜର ପଡ଼ିଲା, ନିଜ ଟାଉଏଲ ଟା ଦେଇ କହିଲେ ବ୍ୟସ୍ତ ହୁଅନି ପାଗ ଟିକେ ପରିବର୍ତ୍ତନ ହେଲେ ଘରକୁ ଚାଲି ଯିବ। ଛିଟା ପାଣିରେ ପୁରା ଓଦା ହୋଇ ଯାଇଥାଏ ବର୍ଷା। “ନା, ସାର ଡେରି ହେଲେ ବାପା ବ୍ୟତି ବ୍ୟସ୍ତ ହୋଇ ପଡ଼ିବେ?” ଏମତି କିଛି ସମୟ କଥା ହେବା ସମୟରେ ସବୁ ମନର କଥା ମଧ୍ୟ ପ୍ରକାଶ କରିଥିଲେ ଅମୀୟ ବାବୁ। ଆମେ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା ଠିକ ନୁହେଁ ବୋଲି ବର୍ଷା କହିଥିଲା। “ମୋ ବାପା ଜଣେ ଗରିବ ଚାଷୀ”। ଝିପି ଝିପି ବର୍ଷା ଲାଗି ରହିଥାଏ, “ମୁ ଆସୁଛି ସାର, ବାପାଙ୍କ ପାଇଁ ରୋଷେଇ କରିବି”। ସେ ଦିନ ରାତିରେ ମଧ୍ୟ ଆଦୌ ନିଦ ହୋଇ ନଥିଲା ଅମୀୟ ବାବୁ ଙ୍କୁ । ତାର ଝୁମ୍ପୁଡା ଚୁଟି ଆଉ କଥା କୁହା ଆଖି ଦୁଇଟା ନିଜର କରି ନେଇଥିଲା ତାଙ୍କୁ। ପରଦିନ ସକାକୁ ଟିକେ ଜଲ୍ଦି ଯାଇ ଅଫିସ ରେ ନିଜ ରୁମ ରେ ବସି କମ୍ପ୍ୟୁଟର ଖୋଲି ଆରମ୍ଭ କରିଥିଲେ ନିଜର ନିତିଦିନିଆ କାର୍ଯ୍ୟକ୍ରମ। ଏମତି ଅନ୍ୟ ମନସ୍କତା ସମୟରେ ବାପାଙ୍କ ଫୋନ ଆସିଲା, କିଛି ଦିନ ଛୁଟି ନେଇ ଘରକୁ ଯିବା ପାଇଁ କହିଥିଲେ। ବୋଧେ କିଛି ଜରୁରୀ କାମ ଥିବ ଭାବି ସନ୍ଧ୍ୟାରେ ଘରକୁ ବାହାରି ପଡ଼ିଲେ। ପାଂଚ କିଲୋମିଟର ଦୂରତା ହେଲେ ବି ସେ ସେହି ଅଫିସ ଭିତରେ ଥିବା କ୍ବାଟର ରେ ରୁହନ୍ତି।

ଘରକୁ ଯିବା ସମୟରେ ଭାବୁଥାନ୍ତି ବର୍ଷାର ଅଲରା ଚୁଟି ଗୁଡ଼ା କେମିତି କେରି କେରି ହୋଇ ପାଟିରେ ପସିଯାଉଥାଏ ସେଦିନ, ପୁଣି ଅଧା ତିନ୍ତି ଥିବା ଦେହକୁ ଲୁଚାଇବାକୁ ଚେଷ୍ଠା ସମୟର ଲାଜୁଆ ମୁଁହଟା କଥା। ଏହି ସମୟରେ ଗରମ ପବନ ଯେପରି ସାରା ଶରୀରରେ ଢେଉ ଖେଳୁଥାଏ ଅମୀୟବାବୁ ଙ୍କର। ଭାବି ଭାବି ଯଥା ସମୟରେ ଯାଇ ଘରେ ପଂହଁଚି ଅମୀୟ ବାବୁ ଦେଖନ୍ତି ତ ଅଲଗା କିଛି ପରିବେଶ। କିଛି ବୁଝିବା ପୂର୍ବରୁ ବାପା ବାହାରି ଆସି ଆଗୁଆ କହି ଚାଲିଲେ, “ତୋ ବାହାଘର ମୁଁ ସେ ଆର ପାଖ ଗାଁ ରେ ଠିକ କରି ଦେଇଛି। ଝିଅ ଟି ଯେପରି ଉଚ୍ଚ ଶିକ୍ଷିତ ଦେଖିବାକୁ ମଧ୍ୟ ଗୋଟିଏ ଚାଉଳରେ ଗଢ଼ା। ହଁ ଶୁଣୁ ବଂଶ ବୁନିଆଦି ଘରର ଝିଅ ସେ। ଆଉ ବାହାଘର ର ସବୁ ବ୍ୟବସ୍ଥା କରି ଦେଇଛି, ଏହି ଆଷାଢ଼ ରେ ଗୋଟେ ଶେଷ ତିଥି, ତେଣୁ ଏହି ମାସରେ ବାହାଘର କାମ ଶେଷ କରିଦେବି”।ନୀରବରେ ଆଇନା ସମ୍ମୁଖରେ ଠିଆ ହୋଇ ସେହି ବର୍ଷା କଥା ଭାବି, ଅମୀୟ ବାବୁ କହିଲେ ଏତେ ବଡ଼ ନିଷ୍ପତି ନେବା ପୂର୍ବରୁ ଥରୁଟିଏ ପଚାରି ପାରିଥାନ୍ତେ। ତାପରେ ଧୀର ସ୍ୱରରେ ବାପାଙ୍କୁ ବିଜିପୁର ଗାଁ ର ବର୍ଷା ବିଷୟରେ ସବୁ କହିଥିଲେ। କିନ୍ତୁ ତାଙ୍କ କଥା ଶୁଣି ବାପାଙ୍କ ରାଗ ପଂଚମକୁ ଉଠିଗଲା। “ଆମର ଯେଉଁ ଆଭିଜାତ୍ୟ, ତୁ କଣ କହୁଛୁ ନିଜେ ବୁଝି ପାରୁଛୁ ତ?” “ବାପା, ସେ ଗରିବ ହେଲେବି”… ଏତିକି କହୁ କହୁ ଅମୀୟ ବାବୁ, ଗର୍ଜି ଉଠିଲେ ସେପଟୁ। “ମୋ ନିଷ୍ପତି ଉପରେ ତୋର କଣ ଟିକେ ଭରସା ନାହିଁ? ଖାଲି ଝିଅ ନୁହେଁ ତାର ବଂଶ ବୁନିଆଦି ମଧ୍ୟ ଦେଖିବା ଦରକାର ।ତୋ ଭବିଷ୍ୟତ ସୁଖମୟ କିପରି ହେବ, ଦୁଇ ଜଣଙ୍କ କୁଣ୍ଡଳୀ ନେଇ ଜଣେ ବଡ଼ ଅବଧାନ ପାଖରୁ ଖଡ଼ି ପକେଇଛି, ରାଜଜୋଟକ ସୁଝିବାରୁ ସେଠାରେ ମୁଁ ଆଗେଇଲି। ଦିନ ବାର ସବୁ ଠିକ କରି ଦେଇଛି”। ସେହି ସମୟରେ ନିରୀହ ବର୍ଷା ର ମୁଁହ ଅମୀୟ ବାବୁଙ୍କ ଆଖି ଆଗରେ ଖାଲି ନାଚି ଯାଉଥାଏ, ତାଙ୍କ କାନକୁ ଅନ୍ୟ କିଛି କଥା ଶୁଭୁ ନଥାଏ। ସତେ ଯେପରି ସେ ପାଲଟି ଯାଇଥିଲେ ଅସହାୟ, ପୁଳା ପୁଳା କୋହରେ ନିଜେ ହଜି ଯାଉଥିଲେ। ବ୍ରାହ୍ମଣ ନାହାକ ଆସି ସାରିଥିଲେ ଠିକ ସମୟରେ। ବାପା ଖାଲି କହୁ ଥାନ୍ତି ଶୁଭ ବେଳା ଗଡ଼ି ଯାଉଛି। ତର ତର ହୋଇ ବାଜା ବାଣ ରୋଷଣୀ ନେଇ ଯାଇ ଝିଅ ଘରେ ପଂହଁଚି ଯାଇଥିଲେ। କିଛି ଅଘଟଣ ଘଟିଲା ପରି କାହିଁ ଜଣାପଡୁଥାଏ ସେହି ଗାଁ ର ସ୍ତ୍ରୀ ଲୋକ ମାନଙ୍କ ଟୁପୁରୁ ଟାପୁରୁ କଥାରୁ। ଡାକ ବାଜି ଶବ୍ଦରେ କିଛି ଶୁଭୁ ନଥିଲେ ମଧ୍ୟ ବ୍ୟସ୍ତତାରୁ ଖାଲି ନିରାଶ ବାଣୀ ବୁଝାପଡ଼ୁଥାଏ। ଏହି ସମୟରେ ହଠାତ ଝିଅ ର ବାପା ଆସି ଅମୀୟ ବାବୁ ବାପାଙ୍କ ଗୋଡ଼ ଧରି କହିଲେ ମୋତେ ଭୁଲ ବୁଝିବେନି ଆଜ୍ଞା, ଝିଅ ତାର କଲେଜ ରେ ଭଲ ପାଉଥିବା ପୁଅ ସହିତ ଘର ଛାଡ଼ି ଆଜି ସନ୍ଧ୍ୟାରେ ଚାଲି ଯାଇଛି। ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିଲା ଭଳି ଲାଗିଲା ଅମୀୟ ବାବୁ ଙ୍କ ବାପାଙ୍କର।କଣ କରିବେ, ପ୍ରଚଳିତ ପ୍ରଥା ଅନୁସାରେ ମଙ୍ଗୁଳା ପୁଅ ଆଉ ଘରକୁ ଯିବାର ନିୟମ ନାହିଁ। ଏଭଳି କଥା ଶୁଣିବାକୁ ବି ଧର୍ଯ୍ୟ ନଥିଲା, ପୁଅ ପାଖରେ ନିଜକୁ ଦୋଷୀ ମନେ କରୁଥାନ୍ତି। ଆଉ ସେଇଠି ଚିନ୍ତା କଲେ ଭଗବାନ ବଡ଼ ଲୋକ। ତାଙ୍କ ବିନା କିଛି ଆମେ କରି ପାରିବାନି। କିଛି ସମୟ ଭାବିଲେ ଓ ସ୍ଥିର କଲେ, ପୁଅ କହୁଥିବା ସେହି ହରି ପ୍ରଧାନ ଝିଅ ସହ ଅମୀୟ ର ବିବାହ କରିବେ। କିଛି ଖରାପ ଲାଗୁଥିଲେ ମଧ୍ୟ ନିଜ ପଟୁ କହିଲେ, ହରି ପ୍ରଧାନ ଘରକୁ ଯାଇ ସିଧା ପ୍ରସ୍ତାବ ଦିଅ। ଅମୀୟ ଭାଗ୍ୟରେ ବୋଧେ ସେହି ଝିଅ ଟି ଲେଖା ଅଛି। “ଆରେ ଠିଆ ହୋଇଛ କଣ ସମସ୍ତେ ଚାଲ ସେହି ବିଜିପୁର ଗାଁ କୁ”। ଅମୀୟ ବାବୁ ଙ୍କ ଖୁସି କହିଲେ ନ ସରେ। ଆଉ ଭାବୁଥିଲେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ମନେ ମନେ ଠାକୁରଙ୍କୁ କୃତଜ୍ଞତା ଜଣାଉଥାନ୍ତି। ବାପା ଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବଂଶ ବୁନିଆଦି, ସଂସ୍କାରି, ଧନୀ, ସବୁ ସଙ୍ଗେ ସଙ୍ଗେ କୁଆଡ଼େ ମିଳେଇ ଗଲା। ସମସ୍ତେ ଫେରିଗଲେ ଲମ୍ବିଥିବା ରାସ୍ତା ର ସେଇ ବିଜିପୁର ଗାଁ କୁ। ବିଧାତା ପ୍ରଥମରୁ ହିଁ ଲେଖିଥାନ୍ତି ଯାହା, ସେ ପୂର୍ବନିର୍ଧାରିତ ଅଲିଭା ଲେଖାକୁ କେହି ଲିଭାଇ ପାରିବେନି। ଅମୀୟ ବାବୁଙ୍କ ବାପା ଟିକେ ଗମ୍ଭୀର ଜଣାପଡ଼ୁଥିଲେ। ଅନୁଭବ କରୁଥାନ୍ତି ସେ ନିୟତିର ତୀବ୍ର ପ୍ରବାହରେ ମାତ୍ର କୁଟା ଖିଅ ପରି। ଏହାପରେ ଅମୀୟ ବାବୁଙ୍କର ବର୍ଷା ସହ ଖୁବ୍ ଧୁମ୍ ଧାମରେ ବିବାହ ସମ୍ପନ୍ନ ହୋଇଥିଲା। ଈଶ୍ୱରଙ୍କ ସୃଷ୍ଟି କି ଅପୂର୍ବ, ଲୋକମାନେ ଖୁସିରେ କୁହାକୁହି ହେଉ ଥିଲେ, “ବିଧିର ବିଧାନ କେ କରିବ ଆନ?”

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.