ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ନଭେମ୍ବର ୨୦୨୨
ବହୁ କଥା ବାକି ଅଛି ଅନେକ ଦିନରୁ
କଥା ସରିନାହିଁ
ସରିଗଲେ ମରିଯିବ ଫୁଲଗଛ
ଜଣାନାହିଁ, ତା’ପରେ
ଆମେ ଆଉ ଦେଖା ହେଇପାରିବା
କି ନାହିଁ
ଚାଲ ଶେଷଥର ପାଇଁ କଥାହେବା !
ଏମିତି ଗୋଟେ ଜୀବନ ଆଜିକାଲି
ପ୍ରତିବାଦହୀନ
ସ୍ଵପ୍ନ ସବୁ ରଙ୍ଗହୀନ
କେଉଁଠି ଏବେ ଅପହୃତ ମୋର ମନ !
ଏମିତି ସମୟ ଯେ
ନିଜ ନିଶ୍ଵାସ ଉପରେ ବି
ହେଇପାରୁନି ବିଶ୍ଵାସ
ପିଲାମାନେ ଥା’ନ୍ତି ବିଦେଶରେ
ମୁଁ ଥାଏ ଚୁପଚାପ୍
ପଡୋଶୀମାନଙ୍କ କାନ୍ଧରେ
ମଶାଣି ରାସ୍ତାରେ !
କେତେ ଅଜବ ଦିନସବୁ କହିଲ
ଶବଗଦାରେ ଠିଆ ମୁଁ
ବହୁକାଳୁ ଏକାକୀ
ନିର୍ବାସିତ
ନିଶବ୍ଦ !
ଏଇଟା କ’ଣ ଶେଷଦିନ
ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଅପେକ୍ଷାରେ
ନା ଗୋଟେ ନୂଆ ଆରମ୍ଭର ଦିନ ?