ମାନସ ରଂଜନ ମହାପାତ୍ର, ପୁରୀ, ୧୧ ନଭେମ୍ବର ୨୦୨୩
ଏବେ ସମୟକୁ ବିତେଇ ହୁଏନି
ଗପିଗପି
ଚାଲି ହୁଏନାହିଁ ବି ଅସୀମ ସମୟକୁ
ଲୁଚିଲୁଚି
ଏ କେମିତି ସମୟ କହିଲ !
ସମୟ କି ବାଲି, ସମୁଦ୍ର ବା
ଜଗନ୍ନାଥ
ଦିଗବାରେଣି ଖୁଣ୍ଟି ଚାରିପାଖେ
ଉଡ଼ୁଥିବା ଅଶାନ୍ତ ଚଢ଼େଇ
ନା କେଉଁ ହଜିଯାଇଥିବା
ପ୍ରେମିକାର ଶାଢ଼ି
ସମୟ କି ଭଙ୍ଗାପୋଲରୁ
ତଳକୁ ଖସି ପଡ଼ୁଥିବା ରେଳଗାଡ଼ି !
ସମୟ ଏମିତି ବଦଳି ଗଲାଣି ଯେ
ତୁମେ ଆଉ ଚିହ୍ନି ହେଉନାହଁ
ପ୍ରିୟତମା ପୁରୀ
ବହୁ ଚିହ୍ନାଲୋକ ବି ହଜିଗଲେଣି ତୁମ
ରାସ୍ତାଘାଟରୁ
ମୁଁ ଲଣ୍ଠନ ଆଲୁଅରେ
ଖୋଜିହେଉଛି ତୁମକୁ ରାତିସାରା
ଦୋଳବେଦି କୋଣେ।।