ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୭ ସେପ୍ଟେମ୍ବର ୨୦୨୨
ଏଥରକ ହୁଏତ ମୁଁ ପାଇପାରେ
ପାଲିଙ୍କି,ଛତା ଆଉ ଜୋତା
କାଲିଠାରୁ ଏ ସହର ଲୋକମାନେ
ଆରମ୍ଭ କରିଦେଲେଣି ଚୁପିଚୁପି କଥା
ପବନରେ ଉଡ଼ିବୁଲେ କେଉଁ ଏକ
ଅଦୃଶ୍ୟ ମୁକୁଟ
ବହୁ ଦିନୁ ଖୋଜୁଥିବା ସିଂହାସନ ନେଇ
କେହି ଜଣେ ଆସୁଅଛି ଅଜସ୍ର ଆଲୁଅ ଜାଳି
କରି ଥାଟ ବାଟ
ଦେଇପାରିନି ନଅର ଦୁଆରେ ସିପାହୀକୁ
ଉପହାର ବହୁକାଳ ଧରି
ସେଇଥିପାଇଁ ତ ଛାତ ନାଇଁ ଜୋତା ନାଇଁ
ଛତା ମିଳିବାରେ ଏ ଡେରି
ସବୁ ଅପେକ୍ଷାର ଯବନିକା ସରିଯିବ
ଏଥରକ ଆସିବ ସକାଳ
ମୁଁ ଥାଏ କି ନଥାଏ
ଏବେ ସିଂହାସନ ଆସିବାର ବେଳ
ଦେଖ ,ମୋ ଜାହାଜ
ପହଞ୍ଚିବ କାଲି ସେଇ ନଗରୀର ଉପକୂଳ l