ମାନସ ରଂଜନ ମହାପାତ୍ର, ପୂରୀ, ୧୬ ସେପ୍ଟେମ୍ବର ୨୦୨୩
ଦିନେ ଏଇଠିକୁ ଫେରି ଆସିବି ବୋଲି
ମୁଁ ବି ଜାଣି ନଥିଲି, ହେଲେ ମତେ
ଫେରିବାକୁ ହେଲା
ଠୋକର ଖାଇ ସମୟଠୁ ବାରମ୍ବାର
ଯେମିତି ହସନ୍ ଭାଇ ଲକ୍ଷ୍ନୌରେ
ଚାଲିଗଲେ କାଲି, କହିଥିଲେ ତ ସେଦିନ ଯେ
ସ୍ଵର୍ଗଦ୍ଵାର ଯିବେ ମୋ ସହ ଏକାଠି
ମଙ୍ଗଳା କହୁଥିଲା ନିଗମ ବୋଧ ଘାଟ ଯିବ ବୋଲି ଯେ
ସେଦିନ ପହଞ୍ଚିଗଲା ସ୍ଵର୍ଗଦ୍ଵାରରେ ସକାଳୁ ସକାଳୁ
ମାଳିସାହି ମାଲୁଣୀ ପରି
ବୁଡ଼ି ଅଞ୍ଚଳର ବୁଢ଼ା ଗୌନ୍ତିଆ ପରି
ମୁଁ ସର୍ବହରା
ଯେଉଁଠି ଥାଏ, ସେଇ ମୋର ଘର
ସେଇ ମୋର ସଂସାର
ମତେ ଠିକଣା ମାଗୁଛ କାହିଁକି କହିଲ !
କେବେ କଟକ, କେବେ କୋରାପୁଟ
କେବେ ପୁରୀ ତ କେବେ ଲକ୍ଷ୍ନୌ ତ କେବେ ଶିଲଂ
ପୁଣି କେବେ ଦିଲ୍ଲୀ
ମୁଁ ବିଶାଳ ଜଗତର ନାଗରିକ
ପାରୁଛ ଯଦି
ମତେ ଆପଣେଇ ନିଅ, ନହେଲେ ଫେରାଇଦିଅ ଦୁଆର ମୁହଁରୁ
ମୁଁ ଏକ ଅଚିହ୍ନା ଚଢ଼େଇ
କୁଆଡ଼େ ଉଡ଼ିଯିବି କେଜାଣି !