ମୂଳ ନେପାଳୀ କବିତା ଲେଖିଛନ୍ତି କେୱେଲ ଚନ୍ଦ୍ର ଲମ୍ମା ଏବଂ ଓଡ଼ିଆ ଅନୁବାଦ କରିଛନ୍ତି ମାନସ ରଞ୍ଜନ ମହାପାତ୍ର
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୬ ଜୁନ୍ ୨୦୨୪
ଅଗଣାକୁ ଆସନ୍ତି ସେଇ ଘରଚଟିଆମାନେ
ତାଙ୍କ ମଝିରେ ଥାଆନ୍ତି ସେଇ
କଳାକଳା କାଉ
ନିତି ଆସୁଥା’ନ୍ତି ଅଗଣାକୁ
କେମିତି ଚିହ୍ନିନିଏ ପୁରୁଷ କାଉଟି ସ୍ତ୍ରୀ କାଉକୁ
ଚିହ୍ନିନିଏ ମାଆ ପୁଅକୁ
ଯଦିଓ ସମସ୍ତେ ଦିଶୁଥା’ନ୍ତି ଏକାଭଳି
କଳାକଳା
କିଛି ତରୁଣୀ କାଉ ଚଞ୍ଚଳା ହେଉଥିବେ
ଚୁଲବୁଲି ହେଉଥିବେ କିଛି ଘରଚଟିଆ
ଭାଇମାନେ ଗାଳି ଦେଉଥିବେ ସେମାନଙ୍କୁ
କିଛି ଘରଚଟିଆ ହେଉଥିବେ ଅମାନିଆ
କିଛି ବଢ଼ିଲା କାଉ ହେଉଥିବେ ବେପରୁଆ, ଦୁଷ୍ଟ
ଉପଦେଶ ଦେଉଥିବେ ସେମାନଙ୍କୁ
ବୟସ୍କ ଘରଚଟିଆ
କେଉଁ ଚଞ୍ଚଳ କାଉକୁ
ପସନ୍ଦ ହେଉଥିବ କେଉଁ ସୁନ୍ଦରୀ ତରୁଣୀ କାଉ
କେଉଁ ଲାଜକୁଳୀ ଘରଚଟିଆ
ଜଲଦି ଜଲଦି ଘର କାମ ସାରି
ତା’ର ପ୍ରେମିକ ଘରଚଟିଆକୁ ଅପେକ୍ଷିଥିବ କେଉଁ ଡାଳରେ !
କୌଣସି କାଉ ମଦିରା ନିଶାରେ
ପିଟୁ ନଥାଏ ତା’ ସ୍ତ୍ରୀକୁ
କେହି ବି ତରୁଣୀ ଘରଚଟିଆ
ସନ୍ଦେହ ଆଖିରେ ଦେଖୁ ନଥାନ୍ତି
କୌଣସି ସମର୍ଥ କାଉ
ବିକୁନଥାଏ ବେମାର କାଉର ଡାଳ
ଫଳ ପାଚେ ତ ସମସ୍ତଙ୍କର
ଫୁଲ ଫୁଟେ ତ ସମସ୍ତଙ୍କର
ଆହା, ଏମିତି ହୁଅନ୍ତା କି ମଣିଷ
ତା’ର ବସ୍ତି ତା’ର ଗାଆଁ
ତା’ର ଘର !!