ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୬ ଜାନୁଆରୀ ୨୦୨୪
ଅନୀତି ଦୁର୍ନୀତି କୂଟନୀତି ମିଶି
ସୃଷ୍ଟି ହେଲା ଯେଉଁ ନୀତି ।
ଚାରିଆଡେ ଚର୍ଚ୍ଚା ହୁଏ ଏଠି ସେଠି
ନାମ ତା’ର ରାଜନୀତି ।।
ସ୍ୱାର୍ଥପର ଏଠି ସାରଥୀ ସାଜିଛି
ରଥି ଦେଖାଉଛି ଆଖି ।
ନିରୀହ ଜନତା ତ୍ରାହି ତ୍ରାହି ଡାକେ
କିଏ ତା’ ଦୁଃଖ ବୁଝୁଛି ।।
ତୋଷାମତୀ ଆଉ ଟାଉଟର ଯେତେ
ବୁଲୁଛନ୍ତି କହି କହି ।
ରାମ ରାଜ୍ୟ ଆଉ ବେଶୀ ଦୂର ନୁହେଁ
ଆଣିବୁ ଆମେ ଫେରାଇ ।।
ବେକାରୀ ସମସ୍ୟା ରହିବନି ଆଉ
ମଦଫ୍ୟାକ୍ଟ୍ରି ଖୋଲିଦେବୁ ।
ଚାରିଆଡେ ହେବା ଟଙ୍କାର ବର୍ଷା
ଆମେରିକା ଟପିଯିବୁ ।।
ଶୁଣି ଲାଗେ ହସ, ମୋ ପାଖକୁ ଆସ
କାନେ ଟିକେ ଦିଏ କହି ।
ଦେଖି ଶୁଣି ସବୁ ବୁଢ଼ା ହୋଇଗଲୁ
କାଲିକା ଛୋକରା ଏହି ।।
ମାଳିକା ବଚନ ନ ହୋଇବ ଆନ
ସର୍ବେ ହେବେ ଏକାକାର ।
ବଡ଼ ସାନ କିଛି ମାନିବେନି ଆଉ
ସୃଷ୍ଟି ହେବ ନାରଖାର ।।
ଚାଷ ବାସ କାମ ଭୁଲି ତ ଗଲେଣି
ଆଜିକା ପିଢ଼ି ଆମରି ।
ନେତା ବେଶ ହୋଇ ରୁହନ୍ତି ସଭିଏଁ
ହାତେ ମୋବାଇଲ୍ ଧରି ।।
ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇଁ
ହୁଏ ଲାଞ୍ଚ କାରବାର ।
ଗରିବଟା ଯାହା ହୁଏ ହଟହଟା
ବିଚାର ଆପଣଙ୍କର ।।