ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୮ ସେପ୍ଟେମ୍ବର ୨୦୨୨
ଯେତେବେଳେ ଚାଲୁଥିଲି ସାମନାରେ ଆକାଶଟେ ଥିଲା
ଆକାଶ ସରିଲା ଦିନେ ବାଟ କିନ୍ତୁ ବଢ଼ି ବଢ଼ି ଗଲା
ଅନେକ ଦେଖଣାହାରୀ ଦେଖିବାକୁ ପତିତପାବନ
ବଡ଼ଦାଣ୍ଡେ ବିତାଉଛି ଏବେ ମୋର ବଳକା ଜୀବନ
ଭିଡ଼ ସବୁ ସରିଯାଏ ବଡ଼ଦାଣ୍ଡ ସରେ ନାହିଁ କିଆଁ
କିଏସେ ଅଦୃଶ୍ୟ ନଟ ସବୁଆଡେ ତାଆରି କିମିଆ
ମୁଁ ଏକ କଳାପାହାଡ଼ ମୋ ଲାଗି ମନା ସିଂହଦ୍ଵାର
ପଥ ମୋର ବଡ଼ଦାଣ୍ଡ ସେଇ ମୋର ଅନ୍ତିମ କବର
ବଡ଼ଦାଣ୍ଡେ ଦେଖାହେଲେ ଦିନେ ଆମ ମାଧିଆ ମଉସା
ଘର ଭାଙ୍ଗିଦେଲା ଫନି ଏବେ ତାଙ୍କ ବଡ଼ଦାଣ୍ଡ ବସା
ଥିଲା ଦିନେ ପତ୍ରିକାଟେ ମୁଁ ଥିଲି ସମ୍ପାଦକ ତା’ର
ଏବେ ସିଏ ଇତିହାସ ବଡ଼ଦାଣ୍ଡ ନାମରେ ଗୋଚର
ଯେତେଦିନ ବଡ଼ଦାଣ୍ଡ ମୋ ମନରେ ଥିବ ବିରାଜିତ
ହଜିବନି ନାଁ ମୋର ହେବି ନାହିଁ ସ୍ମୃତିରୁ ଅତୀତ !!