ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୫ ଜୁଲାଇ ୨୦୨୪
ସାଜେଣି ହୋଇଛି ତିନିରଥ
ବାହୁଡିବେ ପ୍ରଭୁ ଜଗନ୍ନାଥ,
ଜନ୍ମବେଦୀ ଛାଡି
ରତ୍ନବେଦୀ ଯିବେ,
ସରିଗଲା ନବଦିନ ଯାତ ।
ଭାଇ ଭଉଣୀଙ୍କୁ ସଙ୍ଗେ ନେଇ
ଗୁଣ୍ଡିଚା ରାଣୀଙ୍କୁ ଛାଡିଦେଇ,
ଭକତ ମେଳରେ
ପହଣ୍ଡି ହୋଇବେ,
ଲକ୍ଷ୍ମୀ ସାଆନ୍ତାଣୀ ଛନ୍ତି ଚାହିଁ ।
କାଆଗେ କହିବେ ମନକଥା
ବାହାରିବ ସମାଧାନ ରାସ୍ତା,
ଯାତ୍ରାରେ ନଆସି
ଲକ୍ଷ୍ମୀ ଋଷି ଛନ୍ତି,
ବୁଝିବେ କହିଲେ କେଉଁ କଥା ।
ବାଟେ ପଡିବ ମାଉସୀ ଘର
ପୋଡପିଠା ବାସ୍ନା ଆସେ ତାର,
ପିଠା ଖାଉ ଖାଉ
କଥା ଉଠାଇବେ,
ମାଉସୀ ଖୋଜିବ ବାଟ ତାର ।
ମାଆର ଅଧା ଅଟେ ମାଉସୀ
ସ୍ନେହରେ ଦିଏ ମୁଣ୍ଡ ଆଉଁସି,
ବାପରେ ଧନରେ
କେତେ କଥା କହି,
ସାହସ ଦିଅଇ ହସି ହସି ।
ସାହାସେ ଚଳିଲେ ଜଗନ୍ନାଥ
ଆଗେ ଚାଲୁଛନ୍ତି ଭଗ୍ନିଭ୍ରାତ,
ଲକ୍ଷ୍ମୀଙ୍କ କ୍ରୋଧକୁ
ଅଧା ସମ୍ଭାଳିଲେ,
ବାକି ସମ୍ଭାଳିବେ ଜଗନ୍ନାଥ ।
ଏତ ସଂସାରର ରୀତିନୀତି
ବନ୍ଧୁ ବାନ୍ଧବ ସାହସ ଶକ୍ତି
ବିପଦେ ଆପଦେ,
ଭାଇ ବନ୍ଧୁ ବସି
ସମାଧାନ ହୁଏ ରାତାରାତି ।