ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ଅପ୍ରେଲ ୨୦୨୪
ସହିଦ କରିଛି ବନ୍ଦନା ତୋହର
ଦେହରୁ ନିଗାଡ଼ି ରକ୍ତ
କବି କରିଅଛି ବନ୍ଦନା ତୋହର
ଲେଖନୀ କୁ କରି ଶକ୍ତ.
ଚିତ୍ରକର କରେ ବନ୍ଦନା ତୋହର
ଆଙ୍କି ଦେଇ ତୋର ଚିତ୍ର
କଣ୍ଠ ଶିଳ୍ପୀ ତୋର ବନ୍ଦନା କୁ ଗାଏ
ସ୍ୱରେ ହୋଇ ଉଦବେଳିତ.
ପ୍ରବକ୍ତା କରଇ ତୋହର ବନ୍ଦନା
ଉଚ୍ଚାରୀ ତୋ ମହାନତା
ସେବକ ତୋହର ବନ୍ଦନା କରଇ
ଦେଖାଇ ତା ଉଦାରତା.
ତୋ ମାଟିର ତରୁ ତୃଣ ସବୁ ମା
ଫୁଲ ପତ୍ରେ ସଜ ହୋଇ
ଧୀର ସମୀରଣେ ଦୋହଲି ଦୋହଲି
ବନ୍ଦନା ଦିଅନ୍ତି ଗାଇ.
ନିର୍ଝରିଣୀ ଝରି କୁଳୁ କୁଳୁ ନାଦେ
ବନ୍ଦନା ଗାଏ ଉଚ୍ଚାଟେ
ତୋ ବନ୍ଦନା ପାଇଁ ସରସୀ ଜଳରେ
ପଙ୍କଜିନୀ ଫୁଟେ ହୃଷ୍ଟେ.
ଗଭୀର କାନନେ ପଶୁ ମେଳି ହୋଇ
କରନ୍ତି ଯେଝା ଶବଦ
ସେ ଶବଦ ମିଶି ବନ ପ୍ରଦେଶରେ
ହୁଏ ବନ୍ଦନା ନିନାଦ.
ମନ୍ଦିରରେ ଘଣ୍ଟା ତୋ ବନ୍ଦନା ସୁରେ
ଭରେ ଶବ୍ଦ ମଧୁରିମା
ମସଜିଦ ଗୀର୍ଜାରେ ପ୍ରଭୁ ପ୍ରାର୍ଥନା ରେ
ଶୁଭେ ତୋହର ଗାରିମା.
ତୋ ବନ୍ଦନା ସର୍ବେ ଗା’ନ୍ତି ଦରପେ
ତୋ ପୃଷ୍ଠେ ଯା’ର ରହଣି
ଶୁଭେ ନିଶବ୍ଦ ରେ ଅବା ସଶବ୍ଦରେ
“ବନ୍ଦେ ଉତ୍କଳ ଜନନୀ”
“ବନ୍ଦେ ଉତ୍କଳ ଜନନୀ”