ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଫେବୃଆରୀ ୨୦୨୪
ଦାଣ୍ଡ ଦୁଲୁକୁଛି ଡି.ଜେ ସାଉଣ୍ଡରେ
ପାଖେ ନ ପଶନ୍ତି କେହି ।
ସାହି ପିଲାମାନେ ନାଚନ୍ତି କେତୋଟି
ମଦ ପେଟେ ପେଟେ ପିଇ ।।
କାହିଁ ଲୁଚି ଗଲା ପରମ୍ପରା ଆମ
ଐତିହ୍ୟ ସଂସ୍କୃତି ଆଜି ।
କହି ହେଉ ନାହିଁ ସହି ହେଉ ନାହିଁ
ମୁରବିତ୍ଵ ଯାଏ ହଜି ।।
ଦଶହରା ଠାରୁ କାଳୀ ପୂଜା ଯାଏଁ
ମନେପଡେ ପିଲା ଦିନ ।
ଗଣେଶ ଚତୁର୍ଥୀ,ମାତା ସରସ୍ୱତୀ
ଆସିଲେ ଆନନ୍ଦ ମନ ।।
ମେଢ଼ ବିସର୍ଜନ ସମୟ ଆସିଲେ
ଭକ୍ତି ନୈବେଦ୍ୟ ଦେଇ ।
ଶଙ୍ଖ ଘଣ୍ଟା ଆଉ ହୁଳହୁଳି ଧ୍ଵନି
ଜନ ମନ ନିଏ ମୋହି ।।
ପାଇକଚ୍ଛା ମାରି କାନ୍ଧରେ ବସାଇ
ଦିଅଁଙ୍କୁ ନିଅନ୍ତି ବୋହି ।
ସଂକୀର୍ତ୍ତନ ଆଉ ମୃଦଙ୍ଗ ବାଦ୍ୟରେ
କମ୍ପି ଯାଉଥିଲା ମହୀ ।।
ଜଳେ ବିସର୍ଜନ କରନ୍ତି ଶ୍ରଦ୍ଧାରେ
ନେତ୍ର ଛଳ ଛଳ କରି ।
ବରଷକ ଥରେ ଆସି ଥିଲ ପ୍ରଭୁ
ଦୀନ ଜନେ କୃପା କରି ।।
କାହିଁ ଗଲା ହଜି ସେ କାଳର ଛବି
ବିପରୀତ ଆଜି ସବୁ ।
ମେଢ଼ ବିସର୍ଜନ ପ୍ରହସନ ଲାଗେ
କେତେ ବୁଝାଇ କହିବୁ ।।
ବେଳ ଥାଉ ଥାଉ ସତର୍କ ହୁଅରେ
କଳିଙ୍ଗ ମାଟିର ପୁଅ ।
ବୀର ବାଦ୍ୟ ଯେବେ ବାଜୁଥିଲା ଏଠି
ଶତ୍ରୁ କରୁଥିଲା ଭୟ ।।