• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୋକର ସ୍ୱପ୍ନ….

ଭୋକର ସ୍ୱପ୍ନ….
Share on FacebookShare on Xshare on Whatsappshare on Linkedin
ରଷ୍ନି ସାମଲ, ଭୁବନେଶ୍ଵର, ୧ ଫେବୃଆରୀ ୨୦୨୩

ମନୁଷ୍ୟର ନିସଙ୍ଗ ସମୟରେ ଅସମ୍ଭବ ନିରବତାର ଛାଇ ଆସି ସମ୍ମୁଖରେ ଉଭା ହୋଇଥାଏ। ଘର ଭିତରେ ରାତିସାରା ଜଳେନି ଆଲୋକ, ଅନ୍ଧାର ବି କଥା କୁହେ।ପ୍ରତିଶୃତି ବା ଉଜ୍ଵଳ ସମ୍ଭାବନାକୁ ନେଇ କିଛି କଥା ଓ ଘଟଣାକୁ ସାଂଉଟୁ ଥାଏ ସେହି ରାତ୍ରିର ସ୍ୱପ୍ନକୁ।କଣ ବା ଆଉ କରିବ ଅବିନାଶ, କେହି ଆଗକୁ ନାହିଁ କି ପଛକୁ ନାହିଁ।ସାଇତା ସ୍ମୃତିକୁ ଆଡ଼େଇବା ଛଡ଼ା ଆଉ କିଛି ପାଖରେ ନାହିଁ। ସେ ଦିନ ଅଫିସ ରୁ ଫେରିଲା ବେଳେ କିଣି ଆଣିଥିବା ଫୁଲଦାନୀ ର ଲାଲ ରଙ୍ଗକୁ ଆଖି ପୁରାଇ ଦେଖୁଥାଏ।ଭାବୁଥାଏ କିପରି ସଜାଇବ ତାର ସେହି ଡ୍ରଇଂ ରୁମ ରେ ଏହି ଫୁଲ ଗୁଡ଼ିକୁ। ଜୀବନ ଟା ତ ଅସଜଡ଼ା ହୋଇଗଲା, ପାରିଲାନି ତାକୁ ସଜାଡ଼ି। ଆଉ ଏହି ପ୍ଲାଷ୍ଟିକ ଫୁଲ ବା କିପରି….? କାଚ ଗ୍ଲାସ ରୁ ପାଣି ଦୁଇ ଢ଼ୋକ ପିଇ ଦେଇ, ବିଛଣାରେ ପଡ଼ି ଛଟ ପଟ ହେଉଥାଏ। ଆଜି ଅଫିସରୁ ଟିକେ ଜଲ୍ଦି ଫେରି ଆସିଥାଏ।ଶୋଇବା ଘର ଝରକା ପଟେ ଦେଖୁଥାଏ ବାହାରକୁ, ସେହି ଦକ୍ଷିଣ ଦୁଆରୀ ଘରଟା ରେ ଲମ୍ପଟ ପବନ ଟା ଅବାଧେ ପ୍ରବେଶ କରୁଥାଏ। ସୂର୍ଯ୍ୟ ପଶ୍ଚିମ ଦିଗରେ ଲାଲ ଦିଶୁଥାନ୍ତି। ଝାପସା ଦୃଶ୍ୟ ହେଉଥିବା, ମଣିଷ ହାତ ନ ପାଉଥିବା, ଉପର ଡାଳରେ ପକ୍ଷୀ କିପରି ନିଡ଼ଟି ତିଆରି କରିଛି। ଖଣ୍ଡି ଉଡା ଦେଉଥିବା ପକ୍ଷୀମାନେ କିଚିରି ମିଚିରି ହେଉଥାନ୍ତି। ଲାଲ୍ ଟୁକ ଟୁକ ଫଳ ଗୁଡ଼ିକ ଝୁଲୁଥାନ୍ତି। ଏହି ସବୁ ଦୃଶ୍ୟ ଦେଖି ନିଜେ କଫି କରି ପିଇବାକୁ ଭୁଲି ଯାଇଛି ଅବିନାଶ।

ସବୁ ଦିନ ଅଫିସ ରୁ ଆସି ଏକୁଟିଆ ଏମିତି ପଡ଼ି ରହିବା ନିତିଦିନିଆ ଅଭ୍ୟାସ।ସକାଳୁ ସନ୍ଧ୍ୟା ଯାଏ ଅଫିସ କାର୍ଯ୍ୟ ଦାୟିତ୍ୱ ରେ ଭୀଷଣ ଯନ୍ତ୍ରଣା ଓ ବ୍ୟସ୍ତ ମଧ୍ୟ। ମନ ସାମ୍ନାରେ ଢେର ପ୍ରଶ୍ନ।ସେହି ଦୀର୍ଘ ଇତିହାସ ର ପ୍ରେମରୁ ପାଷାଣ ପାଲଟିଥିବା ଚେନାଏ କାହାଣୀ। ସରକାରୀ ଚାକିରିର ମୋଟା ଅଙ୍କର ଦରମା କଣ ହେବ ଏହି ସବୁ, ପ୍ରତି ଶବ୍ଦର ଉଚ୍ଚାରଣ ରେ କିଛି ହରେଇଥିବା ଭଳି ଅନୁଭବ କରେ। ବିବାହିତା କି ଅବିବାହିତ କଥା ଯେଉଁଠାରେ ପଡ଼େ ସେ ସେଠାରୁ ଦୁରେଇ ଆସେ। ପୁରୁଣା ଗୀତ ଟିକେ ଲଗାଇ ଶୁଣୁଥାଏ ଅବିନାଶ। କୌଣସି ବାଜ୍ୟେ ଅଭ୍ୟାସ ମଧ୍ୟ ତାହାର ନାହିଁ। ଖରାପ ଫିଲ୍ମ୍ ଦେଖିବା କିମ୍ବା ମଦ ପିଇବା କୌଣସି କୁସଙ୍ଗରେ ମିଶି ବାହାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରହିବା କିଛି ବି ନାହିଁ। ଝାପସା ଆଲୁଅରେ ଅନ୍ଧାର ଆଡ଼େଇ ଆଡ଼େଇ ଆଜି ଯେଉଁ ପାହାଚରେ, ନା ଫେରି ପାରୁଛି ପଛକୁ ନା ବଢ଼ି ପାରୁଛି ଆଗକୁ। ମନଟା ସତେ ଯେପରି ଫେରି ଗଲା ସେହି ଦୀର୍ଘ ଅତୀତକୁ। ଯେତେବେଳେ ଆଖି ତାର ପ୍ରେମର ଭାଷା ବୁଝି ପାରିନଥିଲା, ଓଠ ବି କହିପାରି ନଥିଲା ଭଲ ପାଏ ବୋଲି। ନୀରବତା ପ୍ରେମର ପରିଭାଷା ବୁଝି ଯୋଡ଼ି ପାରିଲାନି ଗୋଟେ ମନ ସହ ଆଉ ଗୋଟେ ମନକୁ। ଏମିତି ବହୁତ ପ୍ରଶ୍ନ, କଲେଜ ରେ ପଢ଼ିବା ସମୟରେ ଅନେକ ଦିନରୁ ନୀରବରେ ଭଲପାଇ ଆସିଥିଲା ସ୍ମିତା କୁ ଅବିନାଶ।ଆଖିରେ ଆଖିଏ ସ୍ବପ୍ନ ଥିଲା ଅବିନାଶ ର ଛାତିରେ ଛାତିଏ ଉତ୍କଣ୍ଠା। ହେଲେ ସ୍ମିତା ଚାହାଣୀରୁ କିଛି ବୁଝି ପାରେନା।ସେତେବେଳେ ତା ପ୍ରତି ସ୍ମିତା ର କୌଣସି ପ୍ରତି ଆକର୍ଷଣ ବି ନ ଥିଲା ଭଳି ଭାବୁଥିଲା। ସ୍ମିତା ଏତେ ସୁନ୍ଦରି ଥିଲା ଯେ ତାକୁ ସେହି କଲେଜ ରେ ଭଲ ପାଇବାର ପୁଅ ମାନଙ୍କର ତାଲିକା ଲମ୍ବା ଥିଲା। କହିବାକୁ ଡରୁଥିଲା ସେଥିପାଇଁ। ସୁନ୍ଦରି ବୋଲି ବହୁତ ଅହଂକାର ତା ମନ ମଧ୍ୟରେ ବାହାରକୁ ପରିପ୍ରକାଶ ହେଉଥାଏ।କାହିଁକି ବା ନ ହବ? ତାର କଳା ମଚ ମଚ କେଶ, ପଦ୍ମ ଫୁଲ ପରି ମୁଁହ, ଗୋଲାପି ଓଠ, ଏହି ସବୁ ସୁନ୍ଦରତା କୁ ବର୍ଣନା ମଧ୍ୟ କରିହେବ ନାହିଁ। କିନ୍ତୁ ଭାରି ଲାଜ କୁଳା ଥିଲା ଅବିନାଶ। କାଳେ ସ୍ମିତା ତା କଥା କୁ ଅଗ୍ରାହ୍ୟ କରି ଦେବ, କାଳେ କଥାଟା ଅକଥା ହୋଇଯିବ ତାର। କଲେଜ ର ପ୍ରତି ପ୍ରୋଗାମ ରେ ଖୋଜା ପଡ଼େ ସ୍ମିତାକୁ।କୋକିଳ କଣ୍ଠ ତାର ସମସ୍ତଙ୍କୁ ଗୀତରେ ବାନ୍ଧି ଦିଏ, ସ୍ମିତା ର ବାପା ସେ ସହରର ନାମୀ ଦାମୀ ବିଜନେସମ୍ୟାନ। କିନ୍ତୁ ଅବିନାଶ ଜଣେ ମଧ୍ୟବିତ୍ତ ପରିବାର ର। ସବୁ ସାଙ୍ଗ ମାନେ ଏ କଥା ଜାଣି ଟୁପୁର୍ ଟାପୁର୍ ହେଉଥାନ୍ତି। କିନ୍ତୁ କେବେ ବି ହାଲ୍କା ଇସାରା ଟିଏ ଦେଇନି। ସ୍ମିତା ନିଜ ଆଡ଼ କାହିଁକି ବା କିଛି ତାକୁ କହିବ? ଏହି ନୀରବତା ରେ ତିନି ବର୍ଷ ବିତିଗଲା ଫାଇନାଲ ପରୀକ୍ଷା ବି ପାଖେଇ ଆସିଲା। ସାଙ୍ଗମାନେ କହିଲେ କେତେ ଦିନ ଆଉ ତୋ ପ୍ରେମକୁ ଲୁଚେଇ ରଖିବୁ। ଆରେ ତୁ ସ୍ମିତା କୁ ତୋ ମନ କଥା କହିଦେ।

ହଁ ଠିକ, ଏହି ମଧ୍ୟରେ ସାହସ ବାନ୍ଧିଲା, ଭାବିଥିଲା କୋମଳ ଆଶ୍ୱାସନାରେ ସ୍ମିତା ତାକୁ ନିର୍ଭର ପ୍ରତିଶ୍ରୁତିଟିଏ ନିଶ୍ଚିତ ଦେବ। ଉତ୍କଣ୍ଠାରେ ନିଶ୍ଚଳ ହୋଇ ଯାଉଥାଏ ପାଦ ଯୋଡ଼ିକ।ତଥାପି ସେ ଦିନ ପ୍ରକାଶ କରିଥିଲା ମନ କଥା। ହେଲେ ସମୟ ଅତିକ୍ରାନ୍ତ କରିଯାଇଥିଲା। ସ୍ମିତାକୁ କହିବା ବେଳକୁ ତାର ଜଣେ ଅଧ୍ୟାପକଙ୍କ ସହ ବାହାଘର ପାଇଁ ନିର୍ବନ୍ଧ ସରିଛି।ଅବିନାଶ ର ମୁଣ୍ଡ ଉପରେ ଆକାଶ ଟା ଯେମିତି ଛିଡ଼ି ପଡ଼ିଲା। ଆଉ ସେ ଜଡ଼ ପାଲଟି ଗଲା। ସଦ୍ୟ ଯନ୍ତ୍ରଣାର କ୍ଷତ। ସତରେ ସେ ନିଜ ମନ କଥା କହିବାକୁ ବୋଧେ ଡେରି କରିଦେଲା। ନିଜ ଭୁଲ କୁ ନିଜେ ସ୍ୱୀକାର କରି ପାରୁ ନଥିଲା ଅବିନାଶ, ନିଜକୁ ବହୁତ ଧିକ୍କାର କଲା। ରାତିସାରା ଆଉ ଶୋଇ ପାରିଲାନି। ଆଉ ଏହି ବଜ୍ର ଶପଥ ନେଲା। ସ୍ମିତା ସିନା ତା ଜୀବନରୁ ଦୁରେଇ ଗଲା। ଅବିନାଶ ତା ଛଡ଼ା ଆଉ କାହାକୁ ବାହା ହେବ ନାହିଁ, ଏହା ଥିଲା ତାର ଭୀଷ୍ମ ପ୍ରତିଜ୍ଞା। କାକର ବିନ୍ଦୁ ପରି ଝରି ପଡ଼ୁଥାଏ ଲୁହ, ହେଲେ ଅବିନାଶ ବହୁତ ପ୍ରରିଶ୍ରମି, ଆତ୍ମଭିମାନି ପିଲା ନିଜର ଦକ୍ଷତାରେ ସବୁଠି ଆଗରେ ରହିବାର ଯୋଗ୍ୟତା ତା ପାଖରେ ଅଛି। ନିଜ ପ୍ରଚେଷ୍ଠାରେ ଜଣେ ଉଚ୍ଚ ପଦସ୍ଥ ଅଫିସର ହୋଇପାରିଛି। ଏହା ଭିତରେ ଅନେକ ଦିନ ବିତି ଯାଇଛି।ଅବିନାଶ ର ଜୀବନ ଶୈଳୀ ମଧ୍ୟ ବଦଳି ଯାଇଛି ଏବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅବିନାଶ ରାଓ। ସେ ଦିନ ସଚିବାଳୟରେ ଜରୁରୀ ବୈଠକ ଚାଲିଥାଏ। ଅବିନାଶ ଙ୍କ ବ୍ୟକ୍ତିଗତ ସହକାରୀ ଆସି କହିଥିଲେ କିଏ ଜଣେ ଛୋଟ ଝିଅ କୁ ନେଇ ଆପଣଙ୍କୁ ଭେଟିବାକୁ ଚାଂହୁଛନ୍ତି।

ଜୀବନରେ ବେଳେ ବେଳେ ଏମିତି ବ୍ୟତିକ୍ରମ ହୋଇଥାଏ। ଯାହାକି ମଣିଷ ର ଜୀବନ ଧାରାକୁ ସମ୍ପର୍ଣ୍ଣ ବଦଳାଇ ଦିଏ। ଆଉ ସ୍ମିତା ଭାଗ୍ୟରେ ଯାହା ହୋଇଛି! କିଛି ଦିନ ତଳେ ସ୍ମିତା ସ୍ୱାମୀ ଙ୍କର ଆକ୍ସିଡେଣ୍ଟ ରେ ମୃତ୍ୟୁ ହୋଇଯାଇଛି। ଝିଅ ର ଭବିଷ୍ୟତ ଚିନ୍ତା କରି ଅନ୍ୟ କିଛି ଉପାୟ ନ ପାଇ ଉଚ୍ଚ ଶିକ୍ଷା ସଚିବ ଙ୍କୁ ଭେଟିବାକୁ ଆସିଥାଏ। ଭାବୁଥାଏ ସ୍ମିତା, ଯଦି ସଚିବ ଙ୍କ ଦୟାରୁ କିଛି କେଉଁଠି ତାକୁ ଛୋଟ ମୋଟ ନିଯୁକ୍ତି ମିଳିଯିବ ତାହେଲେ ଝିଅର ଭବିଷ୍ୟତ ଉଦ୍ଧାର ହୋଇ ପାରିବ। ଏହା ଭାବି ସଚିବାଳୟ ର ମୁଖ୍ୟ ଫାଟକ ପାଖରେ ଅପେକ୍ଷା କରିଥାଏ। କିଛି ସମୟ ପରେ ସ୍ମିତାର ପାଳି ପଡ଼ିଲା ଭିତରକୁ ଯିବା ପାଇଁ। ହଠାତ୍ ସାମ୍ନାରେ ଅବିନାଶ ଙ୍କୁ ଦେଖି ଭାବୁଥାଏ ମୁଁ ସ୍ବପ୍ନ ଦେଖୁନି ତ? ଅତି ଧୀର ନମ୍ର ସ୍ୱରରେ କହିଲା ‘କଙ୍ଗ୍ରାଚୁଲେସନସ୍ ସାର’। ଏପରି ଅପ୍ରତ୍ୟାଶିତ ଭାବେ ସ୍ମିତା ସହ ସାକ୍ଷାତ ହେବ ବୋଲି ବିଶ୍ୱାସ କରିପାରୁ ନ ଥାଏ ଅବିନାଶ। ସ୍ମିତା ର ଛାତି ଭିତରଟା ମଧ୍ୟ ଥମ ଥମ ହୋଇ ଯାଉଥାଏ। କେମିତି ସବୁ କଥା ପ୍ରକାଶ କରିବ? ତଥାପି ଛଳ ଛଳ ଆଖି ଦୁଇଟି ଓ ଥର ଥର କଣ୍ଠରେ ସ୍ମିତା ସ୍ବାମୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇ ତାର ସମାଧାନ ର ବାଟ ପଚାରି ଚାଲିଥାଏ ସ୍ମିତା। ଅବିନାଶ ଙ୍କୁ ବିଭାଗର ସଚିବ ଭାବେ ଦେଖି ନିଜକୁ ଗର୍ବିତ ମନେ କରୁଥାଏ। ଅବିନାଶ ଟିକେ ମନେ ମନେ ରାଗି ଗଲେ। ଏ ସ୍ମିତା ତା କେଡ଼େ ସ୍ୱାର୍ଥପର। ମୁଁ ତାକୁ ଏତେ ଭଲ ପାଏ ସେ କଣ ସେତିକି କହି ପାରୁନି? ସାର ବୋଲି ସମ୍ବୋଧନ କରୁଛି କାହିଁକି? କିଛି ସମୟ କଥା ହେବା ପରେ ସ୍ମିତା ପଚାରିଲା, “ହଁ ଅବିନାଶ ବାବୁ, ଆଉ ଆପଣ ଙ୍କ ସ୍ତ୍ରୀ ପିଲା ମାନେ କେମିତି ଅଛନ୍ତି?” କିଛି ନିରବତା ପରେ, ଅବିନାଶ କହିଲେ, “ମୁଁ ସବୁଦିନ ପାଇଁ ଅବିବାହିତ।” ଏତିକି କହି କଥାକୁ ବଦଳାଇ ସ୍ମିତା ସ୍ୱାମୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇ ସମାଧାନ ର ବାଟ କଥା କହିଥିଲେ। ଫୁଙ୍ଗୁଳା ହାତ ମଥାରେ ସିନ୍ଦୁର ନାହିଁ। ଧଳା ଶାଢ଼ୀ ଦେଖି ଅବିନାଶ କିଛି ଅଘଟଣ କଥା ବୁଝି ସାରିଥିଲେ। ଥର ଥର କଣ୍ଠରେ ସ୍ମିତା କହିଲା ବହୁତ ବଡ଼ ଆଶା ନେଇ ମୁଁ ଆସିଛି ଅବିନାଶ ବାବୁ।ମୋତେ ନିରାଶ କରିବେନି।

ପୂର୍ବ ର ସବୁ ବିତିଥିବା ସମୟ ପାଇଁ କ୍ଷମା କରିଦେବେ। ସବୁ ସ୍ମୃତି କୁ ତୋଳି ଧରିଛି ଏହି ହାତ ପାପୁଲିରେ।ମୁଁ ବହୁତ ଅନ୍ୟାୟ କରିଛି,ଏହା ସତ୍ୟ ଆପଣଙ୍କ ପ୍ରେମ କୁ ଅଗ୍ରାହ୍ୟ କରି ମୁ ମସ୍ତବଡ଼ ଭୁଲ କରିଥିଲି ଯାହା ପାଇଁ ବହୁତ ଦଣ୍ଡ ପାଇ ସାରିଲିଣି। ଅବିନାଶ କହିଲେ, “ଆଉ ସେ ପୁରୁଣା କ୍ଷତ କୁ ଖୋଳି ରକ୍ତାତ କରନି ସ୍ମିତା। ସେ ଘା ଶୁଖି ବକଳ ହୋଇ ଯାଇଛି। ମୋର ଥିଲା ଭୀଷ୍ମ ପ୍ରତିଜ୍ଞା। ସ୍ମିତା ତମେ ସିନା ଅବିନାଶ ର ହୋଇ ପାରିଲନି….” ତାଙ୍କ ପାଟିରୁ କଥା ନ ସରଣୁ ଯେପରି ଧରିତ୍ରୀ ରେ ଅକସ୍ମାତ ଆଲୋକ ପରି, ଅଦ୍ଭୁତ କଥା ଟିଏ କହିଲା ସେହି ସମୟରେ ସ୍ମିତା ର ବାର ବର୍ଷର ଝିଅ ମିକି। “ଅଙ୍କଲ ମୋ ମାମାର ଲିଭି ଯାଇଥିବା ମଥାର ସିନ୍ଦୁର, ହାତରୁ ତୁଟି ଯାଇଥିବା ଶଙ୍ଖା ଦେଇ ପାରିବ ଅଙ୍କଲ?” ନିଜକୁ ଜଣେ ଶୁଦ୍ଧ ଏକଲା ମଣିଷ ଭାବେ ପରିଚିତ କରାଉଥିବା ଅବିନାଶ ଅତି ଖୁସିର ସହ ଝିଅ କୁ କୁଣ୍ଢାଇ ପକାଇ, ନିଜ କାର ନିଜେ ଡ୍ରାଇଭିଂ କରି ବଙ୍ଗଳା ଅଭିମୁଖେ ସମସ୍ତେ ଚାଲିଲେ। ମନ ଭିତରର ଅଘୋଷିତ କଥା କେତେ ଆଶା ଆକାଂକ୍ଷାର ନିରବ ସ୍ୱର କୁ ଶବ୍ଦରେ ପରିଣତ କରିଥିବାରୁ ସ୍ମିତା ଝିଅ କୁ ବହୁତ ପ୍ରଶଂସା କରିଥିଲେ। ଅସଫଳ ପ୍ରେମ ର ଟିକିଏ ସୁଖ ପାଇଁ କେତେ ବିକଳ ଥିଲେ ସେମାନେ। ମିଳନର ମଧୁ ଲଗ୍ନକୁ ଆଉ ଡେରି କରି ନଥିଲେ ହାତ ସହ ହାତ ମିଶାଇ ଥିଲେ। ଏହା ଦେଖି ସ୍ମିତା ର ଭାବ ବିହ୍ଵଳତା ସତେ ଯେପରି ପୁର୍ଣିମାର ଉତ୍ତାଳ ସମୁଦ୍ର ଲହରୀ ମଥା ପିଟିବା ଭଳି। ଆନନ୍ଦରେ ବିଚଳିତ ହୋଇ ଭାବୁଥାଏ ଆଉ ସ୍ନେହ ଶ୍ରଦ୍ଧା ଆପଣା ପଣ ସବୁକୁ ଶାମୁକା ରେ ଥିବା ମୁକ୍ତା ପରି ସାଇତି ରଖିବି। ଏହି ସମୟରେ ଅବିନାଶ ତାଙ୍କ ଓଠରେ ସେହି ଶୁଖିଲା ହସଟିକୁ ସଜେଇ ସ୍ମିତା ର ହାତ ଧରି କଫି ପିଇବାକୁ ବାହାରି ପଡ଼ିଲେ।

ହଠାତ ରାତି ତିନିଟା ଏପରି ସ୍ବପ୍ନ ଦେଖି ଉଠି ବିଛଣାରେ ବସି ପଡ଼ିଲେ ଅବିନାଶ! ଗମ ଗମ ଝାଳ ବୋହୁଥାଏ ଦେହରୁ ସେହି ସମୟରେ। ଡାଇନିଂ ରେ ଦେଖନ୍ତି ଜାଇ ଘରେ କାମ କରୁଥିବା ବାସନ୍ତୀ ରଖି ଯାଇଥିବା ରୁଟି ଓ ତରକାରୀ ସବୁ ଥଣ୍ଡା ହୋଇଯାଇଥିଲା। ପାଣି ଗ୍ଲାସ ଟେ ପିଇ ଦେଇ ପୁଣି ସେହି ବିଛଣାକୁ ଫେରି ଆସିଥିଲା ଅବିନାଶ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.