ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧ ଅଗଷ୍ଟ ୨୦୨୪
ତୁମେ ନିରାସକ୍ତ ନିଃସ୍ୱ ଦୀପଶିଖା
ତମସାରେ ପ୍ରଜ୍ଜ୍ଵଳିତ
ମୁଁ ଯେ ଦିବସର ଅନାସକ୍ତ ଆଶା
ଆଲୁଅରେ ନିର୍ବାପିତ।
ତୁମ ସାଥେ ବିହୀ ଭେଟ କରାଇଲା
ଫୁଟିଲା ପ୍ରେମର କଳି
ସପନ ଦେଖିଲି ଜନମେ ଜନମେ
ତୁମକୁ ପାଇବି ବୋଲି
ସପନ ତୁଟିଲା ହୃଦୟ ଭାଙ୍ଗିଲା
ଖେଳ ସେ ତ ସମୟର
ତୁମ ମୋ ଭିତରେ କିଏ ଟାଣିଦେଲା
ଲକ୍ଷ୍ମଣ ରେଖାର ଗାର।
ତୁମେ ଲୁଚାଉଛ ଲୁହର ଠିକଣା
ଝରିବାକୁ କର ମନା
ହୃଦୟରେ ମୋର କୋହର କୋଠରୀ
କେହିତ ଦେଖି ପାରେନା
ସମାଜର ନୀତି ନିୟମ ପାଖରେ
ପ୍ରେମ ଆଜି ପରାଜିତ
ବିଚ୍ଛେଦ ନିଆଁରେ ଦୁଇ ମନ ଜଳେ
ଭାଗ୍ୟ ଆମ ବିଡ଼ମ୍ବିତ।