ମାନସ ରଂଜନ ମହାପାତ୍ର, ପୂରୀ, ୨୩ ସେପ୍ଟେମ୍ବର ୨୦୨୩
ସବୁ ଯଦି ଠିକ୍ ଅଛି
ମୁଁ କାହିଁକି ବ୍ୟସ୍ତ, କାହାପାଇଁ
କେଉଁ କଥାଟି ମୁଁ କହି ପାରୁନାହିଁ
କାହାକୁ ?
ସମୟ ଯଦି ଧୋଇନିଏ ସବୁକିଛି
ମୋ ପୁରୁଣା କ୍ଷତ ସବୁ
ଶୁଖୁନି କାହିଁକି
ନା ମୁଁ ଆଗକୁ ବଢ଼ି ପାରୁଛି ନା
ଫେରି ପାରୁଛି ପଛକୁ
ଅନେକ ପୁରୁଣା ସାଥୀ
ହଜିଗଲେଣି ଏଭିତରେ ଇତିହାସରୁ
ତଥାପି ବି ମୁଁ କାହିଁକି ଖୋଜୁଛି
ଅବଶିଷ୍ଟ ସାଥିମାନଙ୍କୁ ଏବେ
ଗୋଟେ ଅଜଣା ସହରରେ
କେଉଁ ଅକୁହା କଥାଟି କହିବି ବୋଲି !
ମୁଁ ଅଛି ତ ବଞ୍ଚିଛି ଏ ଜଗତ
ଏ ସମୟ, ଏ ସମ୍ପର୍କ
ସାଇକେଲରେ ସହରଯାକ
ପଇଁତରା ମାରୁଥିବା ବୁଢ଼ାଲୋକେ
ଆଉ ନାହାନ୍ତି
ହେଲେ ସାହିମୁଣ୍ଡର ବୁଢ଼ା ବରଗଛଟି
ମରୁନାହିଁ, ଚେର କୋଉଯାଏ
ଲମ୍ବିଛି କେଜାଣି ?