ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୧ ଅପ୍ରେଲ ୨୦୨୪
ଏବେ ବି ଭଲକଥା ଘଟୁଛି ଗାଁରେ
ପ୍ରତି ସଞ୍ଜରେ ଦୀପ ଜଳୁଛି
ତୁଳସୀ ଚଉଁରା ମୂଳରେ।
ପ୍ରତି ସଞ୍ଜରେ ମାଆ ପରଳ ଆଖିରେ
ଭାଗବତ ଦୁଇ ପଦ ପଢୁଛି।
ବନଗିରି ଲତାଗିରି କଥା
ମନେ ପକାଉଛି
ମାଆ ଭଲ ଅଛି।
ଭଲ ପାଇବାର ଚାରା ଗଛଟି
କ୍ରମଶଃ ବଡ଼ ହେଉଛି।
ସେ ଗଛରେ ଉଇ ନଲାଗୁ
କି କାହାର କୁନଜର ନପଡୁ
ସେ ଗଛର ସୁବାସରେ
ମହକି ଯାଉ ଖଣ୍ଡମଣ୍ଡଳ।
ଏବେ ବି ଭଲକଥା ଘଟୁଛି ଗାଁରେ
ଏବେ ବି ଆଳତି ହେଉଛି
ସକାଳେ ସଞ୍ଜରେ
ଗାଁ ମନ୍ଦିରରେ।
ସୋରିଷ ଫୁଲ ଫୁଟୁଛି
ପ୍ରତି ଶୀତ ଋତୁରେ।
ସୋରିଷ ଫୁଲର ମହୁ ଧରି
ଉଡ଼ି ବୁଲୁଥିବା
ପ୍ରଜାପତିମାନଙ୍କୁ ଦେଖିବ ବୋଲି
ଝିଅ ଆସିଛି ବିଦେଶରୁ।
ଗାଁର ଧାନ ବିଲ ଦେଖିବ
ଧାନ ବିଲ ତ ନୁହେଁ
ଆମ ଘରର ଭାତ ହାଣ୍ଡି।
ହଳଦୀପତ୍ର ପିଠାରେ
ମହକି ଯାଉଛି ଦାଣ୍ଡ ଦୁଆର।
ଏବେ ଖାଲି ସୂର୍ଯ୍ୟାଦୟ ଦେଖିବାକୁ ମନ ତାର
ଗାଁର ସୂର୍ଯ୍ୟୋଦୟ
ଧାନବିଲରେ ସୂର୍ଯ୍ୟୋଦୟ।