ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୨ ମଇ ୨୦୨୫
(ଚିର ବନ୍ଦିତା ଓଡ଼ିଆ ଭାଷା ଉଦ୍ଦେଶ୍ୟରେ ….)
ତୁମକୁ ମୋର ଶତଶତ ପ୍ରଣାମ। ତୁମେ ମୋର ଅସ୍ତିତ୍ୱ, ମୋର ଅଭିମାନ, ମୋ ଅସୀମ ଗର୍ବର କାରଣ। ଜନ୍ମ ଠାରୁ ଏ ପର୍ଯ୍ୟନ୍ତ ଯାହା ସହ ବଢିଛି, ଶିଖିଛି, ଭାବିଛି, ସେ’ ତ ତୁମେ।
ତୁମର ଅକ୍ଷର ଶିଖି ମୁଁ ଲେଖିଛି ପ୍ରଥମ ଶବ୍ଦ, ଶୁଣିଛି ପ୍ରଥମ ଗୀତ … ତୁମ ଗଳ୍ପ, କବିତା, ଦୂରଦର୍ଶୀ ବାଣୀ ମୋ ଚେତନାକୁ ଜଗାଇ ଦେଇଛି। ତୁମ ଭିତରେ ଲୁଚିରହିଛି ମୋ ମାଟିର ଐତିହ୍ୟ, ସଂସ୍କୃତି ଓ ପରମ୍ପରା।
ଆଜିର ଜଗତୀକରଣ ଯୁଗରେ ବହୁ ଭାଷା ଶିଖୁଛୁ, କାମ କରୁଛୁ, କିନ୍ତୁ ଆପଣା ହୃଦୟର ଭାଷା ହେଉଛ ତୁମେ। ତୁମକୁ ଛାଡି ମୋର ଅଭିବ୍ୟକ୍ତି ଅସମ୍ପୂର୍ଣ୍ଣ । ତୁମ ପ୍ରତି ନିତ୍ୟ ନୂତନ ଭାବେ ଆସେ ଅନାବିଳ ଆସକ୍ତି, ପ୍ରେମ, ଭକ୍ତି ଓ ଭଲପାଇବା ମୁଁ ଗର୍ବ କରେ ତୁମକୁ ନେଇ ।
ମୁଁ ପ୍ରତିଶ୍ରୁତି ଦେଉଛି—ତୁମର ସେବା କରିବି, ତୁମର ପ୍ରଚାର କରିବି ଓ ଆଗାମୀ ନବପିଢିଙ୍କ ପାଇଁ ତୁମ ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଶତତ ଚେଷ୍ଟିତ ରହିବି, ଆଉ ଅବିରତ ଗାଉଥିବି ତୁମରି ଗରିମା ।