ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୩ ଜୁନ୍ ୨୦୨୪
ସେଦିନ ମୁଁ ତୁମରି ଆଖିରେ
ଭେଟିଥିଲି ମୋ ପ୍ରିୟ ଗାଁକୁ
ସେ ଆଖିରେ ରଜଦୋଳି ଗୀତ ଥିଲା
ଥିଲା କେତେ ଫଗୁଣ ଗୋଧୂଳି
କନିଅର ଫୁଲର ମହକ
ଭରିଥିଲା ଅନୁରାଗ ହୋଇ ।
ପ୍ରଥମ ବର୍ଷାର ବାସ୍ନା
ଥିଲା ସେ ଆଖିରେ
ପ୍ରେମ ପରି ସୁନ୍ଦର ଗାଁରେ
ତୁମ ଘର
ଏଥି ଏଇ ଉତ୍ତପ୍ତ ସହର
ଭୁବନେଶ୍ବରରେ
ଉଦାସୀନ ମନନେଇ
ଚାକିରି ଖୋଜୁଛ
କିଛି ଗୋଟେ ଦୁର୍ଘଟଣା
ଘଟିବା ପୂର୍ବରୁ
ସୁବର୍ଣ୍ଣରେଖା କୂଳର ଗାଁକୁ ତୁମର
ଫେରିଯାଅ ଇମନକଲ୍ୟାଣ ।