ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ଫେବୃଆରୀ ୨୦୨୩
ଫେରିଲନି ତୁମେ ଫଗୁଡାଲା ନେଇ ଫାଜିଲ ଗାଧୁଆ ତୁଠେ।
ତେଲ ଗିନାକର ଆୟୁଷ ସାଥିରେ ପ୍ରେମ ପିଏ ପାଣି ପେଟେ।
ବିଡ଼େ ସରାଗକୁ ବେଳ ରତରତ ମଳୟ ବାନ୍ଧିନି ଯୁଡ଼ା ।
ତୁମେ ଛୁଇଁଲନି ପ୍ରେମରେ ପ୍ରେମରେ ଗାଁ ମୁଣ୍ଡ କୃଷ୍ଣଚୂଡ଼ା।
ତୁମେ ଛୁଇଁ ନାହିଁ ଆମ୍ବୁଆଳି ଦେହ ଦରଜ ଲାଗିନି ମନ।
ଦେହରୁ ଆଖିକୁ ଡେଇଁନି ସପନ ଛାଏଁ ସରିଗଲା ଦିନ।
ଛାଇ ନିଦ ଟିକେ ଛୁଇଁଲା ବେଳକୁ ଫଗୁଣିଆ ଖରାବେଳେ।
କେମିତି କହିଲ ଲେଉଟି ଯିବହେ ପାଦରେ ଅଳତା ଫାଳେ।
ଅଶକତ ଦେହେ ରଜନୀର ମୋହ ହୋଇନାହିଁ ଅଶରୀରି।
ରଙ୍ଗ ଲାଗି ନାହିଁ ଦେହରେ ମନରେ ମଳୟ ପରଶ ଧରି।
କିଛି ତ ସମ୍ପର୍କ ଲୁଚେଇ ଲୁଚେଇ ସଳଖି ଚାଲିନି ପୁରା।
ଶୀତ ଗୀତ ଏବେ ପୁରା ସରି ନାହିଁ ନାଚିଲାଣି ଚାଇଁ ଖରା।
ଆସିବ ଆସିବ କାଇଁ ଲେଖିଥିଲ ଶୀତ ଲଫାପା ରେ ଚିଠି।
ଶୂନ୍ୟ ଶୃଙ୍ଗାର ମୋ ତୁମ ଅନିଶାରେ ବାଆଁରେଇ ଦେଖେ ମାଟି।।