ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୯ ସେପ୍ଟେମ୍ବର ୨୦୨୪
ଫଗୁଣର ଫୁଲବନେ
ତମସାର ତୀରେ ତୀରେ
କିଏ ଆଜି ମୋତେ ଅବା ଡାକିଲା
ଅଳସୀ ଫୁଲକି ସତେ
ପ୍ରେମର ପ୍ରତିମା ହୋଇ
ଅନୁରାଗେ ମୋ ମନକୁ ଛୁଇଁଲା || ୧ ||
ମଞ୍ଜୁଆତି ରଙ୍ଗରେ ରଙ୍ଗୀନ ହେଲା ମନ
ମଧୁର କାକଳୀ ଅବା ଛୁଇଁଗଲା
ବନ ଆଉ ଉପବନ
ପୂର୍ବାଶା କୋଳେ କିବା ଲେଖିଦେଲା କିଏ ଆଜି
ହଜିଥିବା ପିଲାଦିନ ନାଆଁ || ୨ ||
ମେଘ ବି ଡାକିଲା ମୋତେ
ଭସାବାଦଲର ହାତେ
ପକ୍ଷୀ ମୋତେ ଡାକିଗଲା
କୁହୁ କାକଳୀରେ
ପାହାଡ଼ରୁ ଝରି ଆସି ଝରଣା ଡାକିଲା
ଏତେ ଦିନ ପରେ ସତେ
ମୋ ଶୁଖିଲା ଡାଳେ
ପ୍ରେମର ପ୍ରତୀଭୁ ହୋଇ
କୋକିଳ ଗାଇଲା || ୩ ||