ଜୟ କୁମାର ମିଶ୍ର, ଗଜପତି, ୬ ମାର୍ଚ୍ଚ ୨୦୨୪
ଗାଆଁ କନିଆଁ, ସିଂଘାଣି ନାକୀ
ସରାଗ କମି ଯାଏ,
ଆଖି ଆଗରେ, ଘର ପାଖରେ
ନିଇତି ଦେଖା ଦିଏ ll
ହେଉ ସେ ଧୀର, ହେଉ ସେ ସ୍ଥିର
ହେଉ ସେ ବୁଦ୍ଧିମତୀ,
ହେଉ ପାଠୋଇ, ଗୁଣି ଜ୍ଞାନୀ ସେ
କରେନା କେହି ପ୍ରୀତି ll
ରୂପ ଗୁଣରେ, ଅପରୂପରେ
ମଉନାବତୀ ହେଉ,
ଚାଲି ଚଳଣି, ସରଳ ପୁଣି
କେହି ଚାହିଁବେ ନାହିଁ ll
ଗାଆଁ ପ୍ରତିଭା, ବିଜ୍ଞତା ଆଭା
ଗାଆଁରେ ନାକ ଟେକା,
ହୋଇ ଅସହ୍ୟ, ହତାଦରରେ
ମଳିନ ତେଜ ଶିଖା ll
କହଇ କିଏ, ଦେଖାଇ ହୁଏ
ଫୁଲାଇ ତାର ଛାତି,
ସମାଲୋଚନା, କଟୁ ଭାବନା
ମନରେ ମାରେ କାତି ll
ପର ତିଅଣ, ବହୁତ ଗୁଣ
ରୁଚି ଲାଗଇ ଯାହା,
ମାଗି ଖିଆଙ୍କ, ସେ ପରା ରଙ୍କ
ଚାଟି ଖାଇବେ ତାହା ll
ଘରର ରନ୍ଧା, କରନ୍ତି ନିନ୍ଦା
ଜିରାରୁ ଶିରା କାଢ଼ି,
ଦେଲେ ଅଧିକ, ମନରେ ଦୁଃଖ
ହୋଇବେ କାଢ଼ି ଝାଡ଼ି ll
ପର ମାଇପ, ସେ ଅପରୂପ
ଶୋଭା ସୁନ୍ଦର ଦିଶେ,
ଘର ଘରଣୀ, ଅଲକ୍ଷ୍ମୀ ପୁଣି
ଗାଳି ଗୁଲଜ ଭାସେ ll
ଗାଆଁ ସଂସ୍କୃତି, ନାଟ୍ୟ ପୀରତି
କମି କମି ସେ ଆସେ,
ଲୋକ କଳାଟି, ମାଟିକୁ ଚାଟି
ମଉନେ ଘରେ ବସେ ll
ପର ଗାଆଁର, ନାଟ ସୁନ୍ଦର
ଅଧା ଲଙ୍ଗଳା ନୁଆଁ
ସରାଗ ନେଇ, ଦୂରକୁ ଯାଇ
ଆଖି ଦେଖିବ ତାହା ll
ଉପହାରରେ, ପ୍ରଶଂସା ଟିରେ
କରିବେ ବାହା ବାହା,
ମାଆ ମାଇପ, ଭଉଣୀ ବାପ
ଚାତକ ପରି ଚାହାଁ ll
ମନ ବିକାର, ହୋଇ ଶିକାର
ଭଲ ଚିହ୍ନଇ ନାହିଁ,
ଭଲକୁ ଖୋଜି, ମାୟାରେ ମଜ୍ଜି
ହେଉଛି ହାଇଁଫାଇଁ ll
ପର ଝିଅଟି, ଘରଟି ଭାଙ୍ଗୁ
କରୁ ସେ ହଟହଟା,
ମନ ସହଇ, ଦାଉକୁ ନେଇ
ଲାଗଇ ସିଏ ମିଠା ll
ଘରେ କାନ୍ଦଣା, ଦାଣ୍ଡେ ବନ୍ଦନା
ଡରି ଡରିକା କଥା,
ଗାଆଁ କନିଆଁ, ସିଂଘାଣି ନାକୀ
ଏହିତ ଆମ ଚିନ୍ତା ll
ମୃଗ ଦେହରେ, କସ୍ତୁରୀ ଭରେ
ବିଧାତା ଲୀଳା ଏହି
ବନରେ ଧାଇଁ, ଖୋଜଇ ସେହି
ଅଜ୍ଞ ପାଗଳା ହୋଇ ll
ମତି ଭ୍ରମରେ, ମନ ଗର୍ବରେ
ଶାଳଗ୍ରାମକୁ ତେଜି
ଧରୁ ପଥର, ଗୋଡ଼ିକୁ ସାର
ଅଲୋଡ଼ା ଶିଳା ଖୋଜି ll