ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଅଗଷ୍ଟ ୨୦୨୪
ଗଣତନ୍ତ୍ରର ଏ କିଭଳି ବିଚିତ୍ର ରୂପ ?
ସମାଜକୁ କରୁଛି ତାହା ନିଛକ ବିଦ୍ରୁପ ।।
ନେତାମାନେ ପାଲଟନ୍ତି ଏଠି କୋଟିପତି,
ବୁଭୁକ୍ଷୁ ଜନତା କେବଳ ଶୋଷିତ ହୁଅନ୍ତି ।
ଧନୀ ଆଉ ଦରିଦ୍ରର ଦୀର୍ଘ ବ୍ୟବଧାନ,
କେତେ ବର୍ଷରେ ତା’ର ହେବ ସମାଧାନ ।। ୧ ।।
ଅଦ୍ଭୁତ ବ୍ୟବସ୍ଥା ପୁଣି ହୁଏ ଦୃଶ୍ୟମାନ,
ଅସଂଗତିର କିପରି ହେବ ସମାପନ ।।
ଅସାଧୁ ବେପାରୀ ବିତାଏ ସ୍ଵାଚ୍ଛନ୍ଦ୍ୟ ଜୀବନ,
କଳା ଠିକାଦାରର ବଢ଼େ ଧନ ଆଉ ମାନ ।
ଖଟିଖିଆ ମଣିଷ ମୁହଁରେ ବିଷାଦର ଚିହ୍ନ,
ସଚ୍ଚୋଟ, ନୀତିବାନ ହୁଏ ଖାଲି ହିନୀମାନ ।। ୨ ।।
ରାଜନୀତିର ଏ କିଭଳି ଜଟିଳ ଗଣିତ ?
ଶାସକ – ବିପକ୍ଷଙ୍କର ରାତିରେ ଆତଯାତ ।।
ଅଧିକ ଭୋଟ ପାଇ ଦଳ ବିରୋଧୀ ଅସନେ,
କମ୍ ଭୋଟ ପାଇବା ଦଳ ବସେ ସିଂହାସନେ ।
ଜିତିବା ଦଳରେ ନାହିଁ ମନଖୋଲା ହସ,
ହାରିବା ଦଳରେ ଭରେ ଆନନ୍ଦ ଉଲ୍ଲାସ ।। ୩ ।।
ପ୍ରତିଶୃତିର ଏହା କିଭଳି ପରିଭାଷା ?
କଥା ଦେଇ ଦଳ ପୁଣି କରଇ ନିରାଶା ।।
ବିଗତ ଶାସନେ ସବୁ ସିବିଆଇ ଘୋଷଣା,
ଚବିଶ ବର୍ଷ ରାଜୁତିରେ ହେଲା ବାଟବଣା ।
ଏ ସର୍କାର ଖଣି ଚୋରଙ୍କୁ ଜେଲରେ ଭରିବ,
କହିଛି ଅପରାଧୀଙ୍କୁ କଡ଼ା ଦଣ୍ଡ ଦେବ ।। ୪ ।।
ଏସବୁ କିପରି ଲୋକାଭିମୁଖୀ ଯୋଜନା ?
ଯାହାର ରହେ ନାହିଁ ନାମ ଓ ନିଶାନା ।।
ଯୋଜନା ଘୋଷଣା ହୁଏ ଏଠି ମାଳମାଳ,
ସର୍କାର ବଦଳିଗଲେ ରହେନା ତା’ ଚୂଳ ।
ଯୋଜନାର ନାମ ସଂପୂର୍ଣ୍ଣ ବଦଳି ଯାଏ,
ଲାଭାର୍ଥୀ କିନ୍ତୁ ଅର୍ଦ୍ଧାହାରେ ରହିଥାଏ ।। ୫ ।।