ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୯ ସେପ୍ଟେମ୍ବର ୨୦୨୩
ଆହେ ବିଘ୍ନରାଜ ଆସ ଅବତରି
ମର୍ତ୍ତେ ରହିଛନ୍ତି ଚାହିଁ ।
ଚରଣର ରେଣୁ ପଡ଼ିଗଲେ ଥରେ
ସବୁ ଦୁଃଖ ଯିବ ବହି ।।
ପ୍ରାଣୀଙ୍କ ଆରତ ବିନାଶକ ଯେଣୁ
ଗଣନାଥ ସର୍ବେ କହି ।
ଅଗ୍ର ପୂଜ୍ୟ ପ୍ରଭୁ ପାର୍ବତୀ ନନ୍ଦନ
ବିଘ୍ନହର୍ତ୍ତା ନାମ ବହି ।।
ଦେବତା ମଣ୍ଡଳୀ ବନ୍ଦନା କରନ୍ତି
ଶଙ୍କଟ ଆସିଲେ ତହିଁ ।
ଇନ୍ଦୁର ବାହାନେ ଉପସ୍ଥିତ ହୋଇ
କୋଟି ଆର୍ଶୀବାଦ ଦେଇ ।।
ଆହେ ଗଜାନନ କରୁ ଆବାହନ
ଜଗତର ଦୁଃଖହାରୀ ।
ଜ୍ଞାନଦାତା ତୁମେ ସିଦ୍ଧିଦାତା ପ୍ରଭୁ
କାଳଜୟୀ ତ୍ରିପୁରାରୀ ।।
ତୁମ କରୁଣାରୁ ବଞ୍ଚିତ ଯେ ଜନ
ମହା ମୂର୍ଖ ସେ ବୋଲାଇ ।
କୃପା ନେତ୍ରେ ସଦା ଚାହିଁ ରହିଥାଅ
ଜଗତ ଉଦ୍ଧାର ପାଇଁ ।।
ଗଣେଶ ଚତୁର୍ଥୀ ନାମେ ମହା ପୂଜା
ଭାରତ ଭୂଖଣ୍ଡେ ହୁଏ ।
ଉତ୍ସବ ମୁଖର ହୋଇଯାଏ ସବୁ
ଭକ୍ତି ମନ୍ଦାକିନୀ ବହେ ।।
ବିଦ୍ୟାନିକେତନେ ବିଦ୍ୟାର୍ଥୀମାନଙ୍କ
ଆନନ୍ଦ କହି ନୁହଁଇ ।
ନାରିକେଳ ଆଉ ମୋତୀ ଚୁରା ଲଡ଼ୁ
ଖଇ ଉଖୁଡ଼ା ଟି ଦେଇ ।।
ପୂଜା କରୁଛନ୍ତି ବାଲ୍ୟ ବୃଦ୍ଧ ମିଶି
ଆକାଶ ପଡ଼େ ଉଛୁଳି ।
ଶଙ୍ଖ ଘଣ୍ଟା ଧ୍ଵନି ନାଦରେ କମ୍ପୁଛି
ଶୁଭୁ ଅଛି ହୁଳ ହୁଳି ।।
ଉମା ଶଙ୍କରଙ୍କ ସ୍ନେହର ଦୁଲରା
କି ଦେଇ ପୂଜିବି ମୁହିଁ ।
ମନ୍ତ୍ର ଜଣା ନାହିଁ ତନ୍ତ୍ର ଜଣା ନାହିଁ
ଦୟା କର ହେ’ ଗୋସାଇଁ ।।