ମହନ୍ତ ରାମକୃଷ୍ଣ ଦାଶ, ସାଲେପୁର, ୧୧ ଡିସେମ୍ବର ୨୦୨୪
ଶଙ୍ଖଶୁଭ୍ର ଦେହେ ମାଖି ତୁ ନାରଙ୍ଗୀ
ଦେଖୁଥିଲୁ ଉଷା ସପନ,
ପ୍ରେମ ପିଆଲା ରେ ସୁରଭି କୁ ଭରି
କହିଦେବୁ କଥା ଗୋପନ ।୧।
ଧବଳ କୋମଳ ତନୁ ବହ୍ଲରୀ ରେ
ଟୋପି ଟୋପି ଛିଞ୍ଚି ନିହାର,
ସୁଗନ୍ଧ ଅତର ଢାଳି ହୋଇ ଅବା
ପ୍ରତୀକ୍ଷା କରିଛୁ କାହାର ।୨।
କେଉଁ ପାପ ପାଇଁ ଅଭିଶପ୍ତା ହେଲୁ
ଅଧା ରହିଗଲା ଗଳପ,
ଅରୁଣ ଉଦୟ ଆଗରୁ ଝରିଲୁ
ବରିନେଲୁ ମାଟି ତଳପ ।୩।
ରାତିକ ପାଇଁ କି ଆୟୁଷ ପାଇ ତୁ
ସୁବାସ ଦେଉଛୁ ବିତରି,
ଗଙ୍ଗଶିଉଳୀ ଲୋ ଆୟୁଷେ କି ଲାଭ
ନଥିଲେ ସୁରଭି ତୋ ପରି ।୪।
ଅଶିଣ ର ରାତି ଉଠଇ ଚହଟି
ମିଠା ବାସ ମନ ହରଇ,
ଗୁଣ ଥିଲେ ହେଉ ଅଳ୍ପାୟୁଷ, କ୍ଷୁଦ୍ର
ଆଦର ସବୁଠି ମିଳଇ ।୫।
ଟିକି ଫୁଲ ଟିଏ ହୋଇ ଲୋ ଶେଫାଳୀ
ଜଗତ କୁ ଦାନ ମହାନ,
ରାତିକ ଆୟୁଷ ଵ୍ୟର୍ଥ ନୁହେଁ ତୋର
ସୁବାସେ ସାର୍ଥକ ଜୀବନ ।୬।