ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ନଭେମ୍ବର ୨୦୨୩
ଭାବରେ ଭାବରେ ବନ୍ଧା ଚାରିକାନ୍ଥେ ମମତାର ନଈ।
ଅଭାବ ଘୁଷୁରୁଥାଏ ମୁଣ୍ଡପୋତି ଚାଲିଯିବା ପାଇଁ।।
ଅମଡ଼ା ବି ମାଡ଼ି ମାଡ଼ି ମହତ ତା ସୀମାରେ ଅଟକେ।
ଭାଙ୍ଗିବା ଶୁଭେନି କାଇଁ ଯାହାଘଟୁ ସେନେହ କଟକେ।।
କଂସେ ତୋରାଣିରେ ବୁଡ଼େ ପାଞ୍ଚହାତ ଶୋଚନା ନଥାଏ।
ଭୋକର ବି ଦକଥାଏ ସରମରେ ଡୁବ ମାରୁଥାଏ।।
ପ୍ରାସାଦର ସ୍ବପ୍ନଠାରୁ କୁଡ଼ିଆର କିମିଆଁ ଲୋଭରେ।
ଯେଉଁଠି ଲୁଚିକି ଥାଏ ଦୁକୁଦୁକି ମମତା ରୂପରେ।।
ସବୁ ଅକଲ୍ଯାଣ ଢ଼ୋକି କଲ୍ୟାଣର ଠିକଣାଟେ ହୋଇ।
ସ୍ବପ୍ନଙ୍କୁ ସଜାଉଥାଏ ଶାସନର ପୁଟ ଦେଇ ଦେଇ।।
ସନ୍ତୁଳି ହୁଏ ସେ ଆପେ ଆହାଃ ରଟି ଲେଉଟା ଢେ଼ଉରେ।
ମାଞ୍ଜାପରି ବଳଦେଇ ଲୋଟୁଥାଏ ମନ ନଟେଇରେ।।
ଘର ବି ଘରୁଆ ଲାଗେ ଘେରିକରି ସମ୍ପର୍କକୁ ରଖି।
ତୁଟିଲା ସମ୍ପର୍କ ପାଇଁ ଘର କିବା ରହିଥାଏ ସାକ୍ଷୀ??