ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୬ ମାର୍ଚ୍ଚ ୨୦୨୪
ବରଷକ ଥରେ ଆସିଛି ହୋଲି
ରଙ୍ଗର ପସରା ଦେଇଛି ମେଲି ।
ଏକତା ସୂତ୍ରରେ ବାନ୍ଧି ହେବା ଆମେ
ଭେଦ-ଭାବ ସବୁ ଯିବାରେ ଭୁଲି ।।
ବରଷକ ଥରେ……
ଉତ୍କଳ ଆମରି ଜନମ ଭୂଇଁ
ଜଗା-ବଳିଆଙ୍କ ବସତି ଯହିଁ ।
ରାଜା ଆସି ଏଠି ଝାଡ଼ୁ କରିଥାନ୍ତି
ଦେଖିଲେ ମସ୍ତକ ଯାଉଛି ନଇଁ ।।
ଉତ୍କଳ ଆମରି……
ସେ କାଳର କଥା ଭାବିଲେ ଆଜି
ରାଜା ସାହୁକାର ଗଲେଣି ହଜି ।
ଦୋଳ ଯାତ୍ରା ପର୍ବ ସୃଷ୍ଟି କରିଥିଲେ
ଝୁଲାରେ ବସାଇ କୃଷ୍ଣ ବଲ୍ଲଭି ।।
ସେ କାଳର……
ହିନ୍ଦୁ ଶାସ୍ତ୍ର ମତେ ରହିଛି କଥା
କରୁଥିଲେ କେତେ ନାଟ ତାମସା ।
ଗୋପୀ ଗୋପାଳଙ୍କ ସାଥୀରେ ଶ୍ରୀକୃଷ୍ଣ
ରଙ୍ଗ ଖେଳୁଥିଲେ ହୋଇ ଉନ୍ମୁକ୍ତା ।।
ହିନ୍ଦୁ ଶାସ୍ତ୍ର……
ଆମ୍ବ ବଉଳିଲା ଚହଟେ ବାସ
ଦୂରରୁ ଶୁଭୁଛି ଦୋଳର ଘଣ୍ଟ ।
ପତ୍ର ଗହଳିରେ ପଞ୍ଚମ ତାନରେ
କୋଇଲି ଗାଉଛି ବସନ୍ତ ଗୀତ ।।
ଆମ୍ବ ବଉଳିଲା……
ଘଣ୍ଟ ମୃଦଙ୍ଗରେ ପଡୁଛି ହୁରି
ଗୋପାଳ ପିଲାଏ ବିଭାନ ଧରି ।
ସାହି ସାହି ବୁଲି ଚାଚେରୀ କରନ୍ତି
ଭକ୍ତଟିଏ ନେତ୍ରୁ ଝରାଏ ବାରି ।।
ଘଣ୍ଟ ମୃଦଙ୍ଗରେ……
ଭାଇଚାରା ପର୍ବ ହୋଲି ଆମରି
ପୂର୍ବ ରାଗ ରୁଷା ଯିବା ପାଶୋରି ।
ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିଆନ
ଦେଶ ଯଶ ପାଇଁ କର୍ତ୍ତବ୍ୟ କରି ।।
ଭାଇ ଚାରା……
ହୋଲି ନୁହେଁ ଖାଲି ରଙ୍ଗର ପର୍ବ
ଆମ ପରମ୍ପରା ଆମରି ଗର୍ବ ।
କାହିଁ କେତେକାଳୁ ପାଳୁ ଅଛୁ ଆମେ
ଈଶ୍ୱର ବିଶ୍ୱାସ ଆମରି ପୂର୍ବ ।।
ହୋଲି ନୁହେଁ……
ଇତିହାସ ପୃଷ୍ଠା ରହିଛି ସାକ୍ଷୀ
କେତେ ଯୋଦ୍ଧା ଥିଲେ ଉତ୍କଳବାସୀ ।
ଅଶୋକ ସହିତ ହୋଲି ଖେଳିଥିଲେ
ଲକ୍ଷେ ମୃତ ଦେହ ଯାଇଛି ଭାସି ।।
ଇତିହାସ ପୃଷ୍ଠା……
ମୋ ପୂର୍ବ ପୁରୁଷ ଥିଲେ ସାହସୀ
ଅସୀ ଝମକାଇ ଶତ୍ରୁକୁ ଦେଖି ।
ପ୍ରାଣକୁ ତିଳେ ହେଁ ଖାତିର ନ କରି
ମାତୃଭୂମି ଟେକ ରଖିଥିଲେ ଟି ।।
ମୋ ପୂର୍ବପୁରୁଷ……
ହୋଲି ପରି ପର୍ବ ତାଙ୍କରି ଦାନ
ସ୍ନେହେ ବାନ୍ଧୁ ଥିଲେ ସକଳ ମନ ।
ରଙ୍ଗ ଖେଳି ସଦା ସୁଖ ବାଣ୍ଟୁଥିଲେ
ତାଙ୍କ ପାଦ ପଦ୍ମେ କରେ ପ୍ରଣାମ ।।
ହୋଲି ପରି……