ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୩
କେମିତି କେଜାଣି ଭୁଲିଅଛି ଏତେକାଳ
ଶେଷ ପଉଷର ଖରା ଆଉ ଛାଇ
ମଝିରେ ମୋ ଗାଁ ଘର ।
ସେଇ ଘରୁ ଶୁଭେ ମାଆର ମଧୁର ସ୍ଵର
ପ୍ରଥମାଷ୍ଟମୀ ଓ ମାଣବସା ଗୁରୁବାର
ଲକ୍ଷ୍ମୀପାଦର ଝୋଟି ଓ ମୁରୁଜ
ସ୍ଵପ୍ନ ସଜଳ ଦିନ ।
ଶେଷ ପଉଷର ଖରା ଆଉ ଛାଇ
ଜିଦ୍ଖୋର ପିଲାଦିନ
ସେହି ପିଲାଦିନ ଆକାଶରେ ଦିଶେ
ଅସଂଖ୍ୟ ଶଙ୍ଖ ଚିଲ ।
ବିଲ ବଣ ଘେରା
ସବୁଜିମା ଭରା
ଦୂର ଗାଁ ମାଆ ଘର
ସେଇ ଘରୁ ଶୁଭେ
କବି ମନ ଭୁଲା
ଅଭୁଲା ସ୍ମୃତିର ସ୍ଵର ।