ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୭ ଅକ୍ଟୋବର ୨୦୨୪
ହେ ପୂଜ୍ୟ ତୁମେ ନମସ୍ୟ ନମାମି
ସମୟ ସ୍ରୋତରେ କାଳଜୟୀ ।
ତୁମ ଗାଥା ଆଜି ଜନ ମାନସରେ
ଗଣକବି ହୋଇ ଗଲା ରହି ।।
ନୀ-ରସ ମନରେ ଭରି ଦେଇଥିଲ
ନିଜ ରଚନାର ନାଟ୍ୟରସ ।
ନିରକ୍ଷରତାରେ ପୁରି ରହିଥିଲା
ସେ କାଳ ସମାଜ,ସେ ମଣିଷ ।।
କୁପୋଷଣ ଆଉ ସାମନ୍ତ ଶାସନ
ଅବହେଳା ନିଷ୍ପେସିତ ଜନେ ।
ହାସ୍ୟ ରସ ଆଉ ସୁଆଙ୍ଗ ରଚିଲ
ଉର୍ଜା ଭରିଦେଲ ଜନ ପ୍ରାଣେ ।।
କେତେ କଳାକାର ଗଢିଲେ ଆପଣ
ପୁର ପଲ୍ଲୀ ହେଲା ପୁଲକିତ ।
ଚାରି ଆଡେ଼ ଚର୍ଚ୍ଚା ବୈଷ୍ଣବ ପାଣି
ଗୀତିନାଟ୍ୟ ତାଙ୍କ ଅଦ୍ଭୁତ ।।
ଅଭିନୟ କିସ , ଶିଖାଇଲ ତୁମେ
ବାଦ୍ୟ ଘୁଙ୍ଗୁରର ତାଳେ ତାଳେ ।
ନାଚି ନଚାଇଲ ଦେଖି ଦ୍ରବି ଗଲେ
ରହିଗଲା କୀର୍ତ୍ତି କାଳେ କାଳେ ।।
ଆଜି ବି ରହିଛି ଉଜ୍ଜୀବିତ ହୋଇ
ତୁମ ସେ ନାଟକ କର୍ଣ୍ଣବଧ ।
‘କାର୍ମୁକ ଟଙ୍କାର ଅସ୍ତ୍ରର ଝଙ୍କାର’
ଶୁଣିଲେ ଜନତା ହୁଏ ସ୍ତବଦ ।।
ଯୋଗ ଜନ୍ମା ତୁମେ ଉତ୍କଳ ମାଟିରେ
ଜନ୍ମ ନେଇଥିଲ କାଳଜୟୀ ।
ରହିଗଲା ଯଶ ଆଉ ଥରେ ଆସ
ଏ ଜାତି ରହିଛି ବାଟ ଚାହିଁ ।।
ତୁମ ଚରଣରେ ଶତ ପ୍ରଣିପାତ
କରୁଥିବି ନୀତି ମାନ୍ୟ ହୋଇ ।
କୁମାର ପୂର୍ଣ୍ଣିମା ଜନ୍ମ ତିଥି ତୁମ
କୋଠପଦା ପୀଠେ ଜନ୍ମ ନେଇ ।।