ଆଲୋକ କୁମାର ପ୍ରଧାନ, ପୁରୀ, ୪ ମାର୍ଚ୍ଚ ୨୦୨୪
ଶବ୍ଦ ଦେହେ ଲାଉ ହୋଇ ଅବା କେବେ କବିତାଟେ ହୋଇ।
ଗପର ମୁକୁଳା ଓଠେ କିଛି ଶବ୍ଦ ହସକୁ ବନ୍ଦେଇ ।।
କିଛି କଥା ଚିତ୍ରପରି ଲାଖିଥାଏ ଚିତ୍ରଲେଖା ଓଠେ।
କିଛି ଫୁଟେ କିଛି ଫିଟେ କିଛି ଲାଗେ ଶେଷ ସରାଗଟେ ।।
କିଛି କିଛି ବାକି ରୁହେ କାଲି ପାଇଁ ସାକ୍ଷୀଟେ ହେବାକୁ ।
କିଛି କିଛି ହଜୁଥାଏ ହେଜୁଥାଏ ବିତିଲା ଦିନକୁ ।।
କିଛି ଆସି ଲିଭିଯାଏ ଚକ୍ କିନା ବିଜୁଳି ପରାୟେ ।
ଅଲୋଡ଼ାପଣକୁ ନେଇ ଲୋଡ଼ିବାର ଆବାହନୀ ଗାଏ ।।
କିଛି ତ ସପନପରି ଫେରୁଥାଏ ସମାଧି ନେବାକୁ ।
କିଛି ବୁଲିଚାହୁଁଥାଏ କାନପାତି କା’ ଲେଉଟାଣିକୁ ।।
ଜୀବନକୁ ଖୋଜିଖୋଜି କିଛି ଯାଏ ପ୍ରାତଃ ଭ୍ରମଣରେ ।
ଖୁମୁଟେଇ ହେଉଥାଏ ଭେଟୁଥିଲେ ନିଜକୁ ବାଟରେ ।।
କିଛି କଥା ନଥାପରି ନୋଥଟିଏ ହୋଇ ଝୁଲୁଥାଏ ।
କିଛି ତ ଲୁହବୁନ୍ଦାକୁ ହସବୁନ୍ଦେ ଭାବି ଢୋକୁଥାଏ ।।