ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୪
କ୍ଷମତା ତ ମାନେ ନାହିଁ
ନଦୀ ବାଡ଼ ବନ୍ଧ,
ସେ ନିଶାରେ ମତୁଆଲା
(ମଣିଷ) ହୋଇଯାଏ ଅନ୍ଧ ।। ୧ ।।
କ୍ଷମତା ଖାଲରେ ଯିଏ
ଥରେ ଯାଏ ପଡ଼ି,
କଷ୍ଟ ତହୁଁ ମୁକୁଳିବା
ହୋଇ ଝାଡ଼ିଝୁଡ଼ି ।। ୨ ।।
ମଦ ପାଣି ନିଶା ଠାରୁ
(ଏହା) ଅତି ଭୟଙ୍କର,
ଅଫିମ, ଗଞ୍ଜେଇ ଠୁଁ ପୁଣି
ଅଧିକ ପ୍ରଖର ।। ୩ ।।
ଅତୀତରେ ସେବା ଥିଲା
ତ୍ୟାଗର ନିର୍ଝର,
ଏବେକାର ରାଜନୀତି
ଭୋଗର ସାଗର ।। ୪ ।।
ଜନସେବା ପାଇଁ କ୍ଷମତା
(ଏବେ) ନିହାତି ଦର୍କାର,
ତାହା ନମିଳିଲେ ଜୀବନ
ହୁଅଇ ଅସାର ।। ୫ ।।
ଗାନ୍ଧୀ ମହାତ୍ମା, ବିନୋବା
(କେବେ) ପଦରେ ନଥିଲେ,
ତଥାପି ଜନସେବାରେ
(ନିଜ) ଛାପ ଛାଡ଼ିଗଲେ ।। ୬ ।।
କ୍ଷମତାରେ ମସଗୁଲ
ଏବର ରାଜନେତା,
ନିଜକୁ ସେମାନେ ବୋଲାନ୍ତି
ପରା ଜଗତ ଜିତା ।। ୭ ।।
ଆଜି ଜନସେବା ପାଇଁ
(ଜରୁରୀ) ପଦ ଓ କ୍ଷମତା,
ତାହା ବିନା ଲୋପ ପାଏ
ଆମର ଦକ୍ଷତା ।। ୮ ।।
କ୍ଷମତା ଟିକିଏ ଖସିଲେ
(ମଣିଷ) ହୁଏ ହରବର,
ଯେମିତିକା ଜଳ ବିନା
ମୀନ ଫରଫର ।। ୯।।
ଏ ନିଶାର ଟାଣପଣ
ଏତେଯେ ଅଧିକ,
ଶେଯେ ପଡ଼ିଥିବା ନେତା,
(ସାଜେ) ଅକ୍ଲାନ୍ତ ପଥିକ ।। ୧୦।।