ଆଲୋକ କୁମାର ପ୍ରଧାନ, ପୁରୀ, ୯ ଡିସେମ୍ବର ୨୦୨୪
କିଛି ଥାଉ ସେଇମିତି ଥିଲା ବୋଲି ଭାବିବିନି ଥରେ
କିଛି ତ ଅଲେଖା ଥାଉ ‘କିଛି’ ହୋଇ ଥାଉ ହୃଦୟରେ
ଅକୁହା ହୋଇକି ଥାଉ କହିବାରେ କିବା ପ୍ରୟୋଜନ
ଦର ଆଉଜା ଦିନକୁ ରାତି କିଛି ଦେଖାଉ ସପନ
କିଛି ସ୍ମୃତି ମନେପଡୁ କିଛି ମନେ ନ ପଡ଼ିଲେ ହେଲା
କିଛି ଭାବ ଆଶା ଦେଉ ମନେ କିଛି ପଡ଼ିଥାଉ ତାଲା
କିଛି ରଙ୍ଗ ତୂଳୀ ହେଉ କିଛି ତୂଳୀ ରଙ୍ଗ ହୋଇଯାଉ
କିଛି ଦୃଷ୍ଟି ଆକାଶକୁ କିଛି ମାଟି ସଙ୍ଗେ ସଙ୍ଗେ ଥାଉ
କିଛି ଫୁଟୁ ଫୁଲ ପରି କିଛି ଥାଉ ଫୁଲଙ୍କ ଓଠରେ
ଅଳସୀ ଆଖିକୋଣରେ ଲାଖିରହୁ ଲୁହ ଆରପାରେ
କିଛି ଲାଗୁ ପ୍ରେମପରି ପ୍ରାଣ ପାଖେ ଘରଟିଏ କରୁ
କିଛି ଥାଉ ତା ଛଳରେ ଖାଲି ମୋତେ ଛଳରୁ ଉତାରୁ
କିଛି ଥାଉ ଚାହିଁବିନି ତଥାପି ବି କିଛି ରହିଥାଉ
କିଛି ଛାଇ ପରି ଥାଇ ଜିଇଁବାର ରାହା ହୋଇ ରହୁ।।