ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ଜାନୁଆରୀ ୨୦୨୫
କୋରେଇ, ମହୁଲ, ମାଳତୀ ଫୁଲରେ
ଭରା ମୋର ପିଲାଦିନ
ବାଉଁଶ ବଣର ଅନ୍ଧାରୁଆ ବନେ
ଫଗୁଣର ଆବାହନ।
କଞ୍ଚା ହଳଦୀ ବାସ୍ନାରେ ଦିନେ
ଫଗୁଣ ଭୁଲିଲା ସ୍ଵର
ଟିପିଟିପି କେତେ ଜହ୍ନି ଫୁଲରେ
ଗୁନ୍ଥି ଥିଲି ମୁଁ ହାର।
ଅତୀତ ଯାଇଛି ଅତୀତରେ ମିଶି
ଆଜି ନାହିଁ ପିଲାଦିନ।
କେଉଁଠି କେଜାଣି ଛାଡି ଆସିଛି ମୁଁ
ସ୍ମୃତିର ମଧୁବନ।।