ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୩୦ ଜୁଲାଇ ୨୦୨୪
ଶଶାଙ୍କ ଶେଖର ପ୍ରଭୁ ମହେଶ୍ୱର
ଦେବ ଦେବ ମହାଦେବ ହର ।
ଭକ୍ତ ଉଦ୍ଧାରଣ ଶ୍ରୀପଦେ ଶରଣ
ଦୁଃଖୀ ଜନ ଦୁଃଖ ଦୂରକର ।।
ପାପିଙ୍କି ମାରିଛ ତପିଙ୍କି ତାରିଛ
ଜାଗ ଶ୍ରେଷ୍ଠ ତୁମେ ଯଜ୍ଞେଶ୍ଵର ।
ଦକ୍ଷ ପ୍ରଜାପତି ଚିହ୍ନି ନ ପାରିଲା
ଯଜ୍ଞ ସହ ଛେଦି ଦେଲ ଶିର ।।
ଭକ୍ତ ଜନେ କଷ୍ଟ ଦେବାରୁ ସେ ଦୁଷ୍ଟ
ବଜରଙ୍ଗବାଲି ନାମ ବହି ।
ସଙ୍କଟ ମୋଚନ ଭକ୍ତ ପ୍ରାଣବନ୍ଧୁ
ଯୁଗେ ଯୁଗେ ଯଶ ଅଛି ରହି ।।
ଗର୍ବିତ ରାବଣ ମନେ ରଖି ଟାଣ
କୈଳାସ ପର୍ବତେ ଚଳିଗଲା ।
ଉତ୍ପାଟନ କରି ସମୁଦ୍ର ଗର୍ଭରେ
ଫିଙ୍ଗିଦେବ ମନେ ଭାବିଥିଲା ।।
ଏତେ ଦମ୍ଭ ତୋର ବିଶ୍ରବା କୁମାର
ଆଶୁତୋଷ ପ୍ରଭୁ ଗଲେ ରାଗି ।
ପାଦ ଆଙ୍ଗୁଳିରେ ଚାପିଦେଲେ ହେଳେ
ଗର୍ବ ଅହଙ୍କାର ଗଲା ଭାଙ୍ଗି ।।
ରକ୍ଷା କର ରକ୍ଷା କର ଯୋଗେଶ୍ୱର
ବହୁ ସ୍ତୁତି କଲା ଦଶଶୀର ।
ଦୟାର ସାଗର ଦ୍ରବିଗଲା ହୃଦ
ମାନ ରକ୍ଷା କଲେ ବ୍ରହ୍ମାଙ୍କର ।।
ଦେବାସୁର ମିଶି ସାଗର ମନ୍ଥିଲେ
ବିଷ ଉଦ୍ ଗାରିଲା ସେ ବସୁକି ।
ବିଶ୍ଵ ବ୍ରହ୍ମାଣ୍ଡରେ ବିଷ ଗଲା ବ୍ୟାପି
ଧ୍ଵଂସ ହେବ କି ଏ ତ୍ରୟଲୋକି ।।
ଦେବାଧିଦେବଙ୍କୁ ଜଣାଇଲେ ସର୍ବେ
ମହିରକ୍ଷା କର ମହେଶ୍ୱର ।
ବିଷକୁ ରଖିଲେ କଣ୍ଠାଗ୍ରିବେ, ତେଣୁ
ନାମ ହେଲା ନୀଳକଣ୍ଠେଶ୍ଵର।।
ସର୍ବସ୍ବ ତ୍ୟାଗିଛ ଯୋଗୀ ବୋଲାଉଛ
ବ୍ୟାଘ୍ର ଛାଲ ଖଣ୍ଡେ ଅଛ ପିନ୍ଧି ।
ଶିରେ ସୋଭାପାଏ ଜଟା ଜୁଟ ପ୍ରଭୁ
ଜଟାରେ ଚନ୍ଦ୍ରଙ୍କୁ ଅଛ ବାନ୍ଧି ।।
ଗଙ୍ଗାଙ୍କର ଗର୍ବ ଖଣ୍ଡିତ କରିଛ
ତିନି ଧାର ହୋଇ ଗଲା ବହି ।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ମର୍ତ୍ତ୍ୟ ଲୋକ ଆଜି ଅଛି ହୋଇ ।।
ଅଳଙ୍କାର ପରି ସର୍ପ ଟିକୁ ପ୍ରଭୁ
ଗଳାରେ ଗୁଡ଼ାଇ ଜତନରେ ।
ସର୍ପ ବଂଶଟିକୁ ରକ୍ଷା କଲ ସିନା
ଭୋଳା ବାବାଙ୍କୁ ଗରୁଡ଼ ଡରେ ।।
କଳା ବଳଦକୁ ଧଳା କରିଦେଲ
ଧବଳେଶ୍ଵରର ନାମ ବହି ।
ପୂଜା ପାଉ ଅଛ ମହାନଦୀ ଗର୍ଭେ
ଲକ୍ଷ ଲକ୍ଷ ଭକ୍ତ ଯାନ୍ତି ତହିଁ ।।
ମାସ ମଧ୍ୟେ ଶ୍ରେଷ୍ଠ ଶ୍ରାବଣ ମାସଟି
କାଉଢିଆ ଭକ୍ତଙ୍କର ମେଳି ।
ପାଣି ଭାର କରି ଚାଲିଛନ୍ତି ସର୍ବେ
କେତେ ହେଉଛନ୍ତି ନିଉଛାଳି ।।
ଗଗନ ପବନ ପ୍ରକମ୍ପିତ ହୁଏ
ନାମ ମନ୍ତ୍ର ତବ ଜପ କରି ।
ଭୋଳା ବାବା ଆମ ପାର କରି ଦେବେ
ବିଶ୍ୱାସ ମନରେ ଦୃଢ଼ କରି ।।
ଜଗତ ଈଶ୍ୱର ଦେଉ ଅଛ ବର
ଭକତର ମନ ଜାଣି କରି ।
କିଞ୍ଚିତେ କରୁଣା ଅଜାଡ଼ି ଦିଅ ହେ
ଅକିଞ୍ଚନ ଦାସ ଯାଉ ତରୀ ।।