ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୪ ନଭେମ୍ବର ୨୦୨୩
ମନ କିରେ ଶୁଆ ସାରି
ପୋଷ ମାନି ଯିବ
ଯାହା କହି ଦେଲେ ତାହା
ଗାଈ ଶୁଣାଇବ ।।୧।।
ଏ ମନ ଅବୁଝା ହେଲେ ସବୁରେ ଅସାର
ସବୁଜ ଜୀବନ ହୁଏ ମରୁ ବାଲିଚର
ମନ ନୁହେଁ ଛୋଟ ପିଲା
କାନ୍ଦିବ ହସିବ
କଥାରେ ଭୁଲିବ ପୁଣି
ଗୀତରେ ଶୋଇବ ।।୨।।
ମନକୁ ପାରିବୁ ରଖି ଘୋଡ଼ା ଲଗାମରେ ?
ବାନ୍ଧି ରଖି ପାରିବୁକି ତୋ ଛାତି ଭିତରେ ?
କିଏରେ ପାରିବ କହି
ଏ ମନଟା ତା’ର
ଦୁନିଆଁରେ ମନଟାତ
ନୁହଁଇ କାହାର ।।୩।।
ଏ ମନ ରହିନି କାର ହୋଇ ଚିରନ୍ତନ
ସମୟର ରୂପରେ ସେ ହୋଇଛି ବିଲୀନ
ମନ ଖୋଜି ବୁଲୁଥାଏ
ତା ନିଡର ସାଥି
ତାହାରି ମିଳନ ପାଇଁ
ସେ ଉଠାଇ ମାତି ।।୪।।