ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ନଭେମ୍ବର ୨୦୨୩
ମନ ମୋର ଯାହା ଖୋଜେ
ମନେ ମନେ ଯାହା ଭାବେ
ସବୁ କଥା ମନ ଖୋଲି କହି ହୁଏନା,
ମନେ ମନେ ଲାଜ ଲାଗେ
ମନ ପରେ ରାଗ ଲାଗେ
ଅଭିମାନେ ବସି ବସି ରହି ହୁଏନା ।।୧।।
ବ୍ୟର୍ଥ ମୋ ମନ ରଥେ ନିଃସଂଗତା ଭରେ
ଶୂନ୍ୟତାର ଉର୍ମି କିରେ ମନ ତୋଳି ପାରେ
ମନଛୁଆଁ କେତେ ଆଶା
ମନ ଗଢ଼ା କେତେ ସୌଧ
ମନଲୋଭା ସ୍ବପ୍ନ ପୁଣି ଏଇ ଜୀବନର,
ମନରୁ ଯାଇଛି ହଜି
ବିମନ ହୋଇଛି ଆଜି
ଖିଆଲି ମନ ମୋ କହେ ସବୁରେ ଅସାର ।।୨।।
କେମିତି ବୁଝିବୁ ସଖୀ ଏ ମନର ବ୍ୟଥା
ଉଦାସ ମନର ମୋର ଭରା ବ୍ୟାକୁଳତା
ମନ ଥରେ ଭାଂଗି ଗଲେ
ଆଉ ସେ ଯୋଡ଼େନା
ଭାଙ୍ଗିରୁଜି ଧୂଳି ହୋଇ ହୁଏ ସେ ନିଚିହ୍ନ
ମନରେ ଲାଗିଲେ ନିଆଁ
ଆଉ ସେ ଲିଭେନା
ଜଳୁଥାଏ ଅହରହ ଏସାରା ଜୀବନ ||୩||