ଭକ୍ତ ଚରଣ ସାହୁ, ଯାଜପୁର, ୨୨ ମାର୍ଚ୍ଚ ୨୦୨୩
କି’ ସୁନ୍ଦର ସତେ
ଆମ ଏ ଗଆଁଟି
କି’ ଉପମା ଦେବି ତା’ର ।
ଶସ୍ୟ ଶ୍ୟାମଳିମା
ପଲ୍ଲୀ ଭୂଇଁ ଏଇ
ନାଆଁ ତା’ ପଣସପୁର ।।
ଏଡୁଟିଏ ଠାରୁ
ଏଡୁଟେ ହୋଇଲି
ତାଆରି କୋଳରେ ବଢ଼ି ।
ତାଆରି କୋଳରେ
ପ୍ରଥମେ ଧରିଲି
ହାତରେ ସିଲଟ ଖଡ଼ି ।।
ଲଳିତଗିରିର
ପାହାଡ଼ ସେପଟୁ
ନାଳିଆ ସୂରୁଜ ହସେ ।
ସକାଳୁ ସକାଳୁ
ମୋ ଟିକି ଗାଆଁଟି
ଆହା କି ସୁନ୍ଦର ଦିଶେ ।।
ନାହିଁ ଜାତି ଭେଦ
ନାହିଁ ବାଦ ଛେଦ
ନାହିଁ ଗଣ୍ଡଗୋଳ ଏଠି ।
କେହି ନୁହେଁ ସାନ
ସଭିଏଁ ସମାନ
ଦୁଃଖ ଯାଏ ଏଠୁ ହଟି ।।
ବାର ମାସ ତେର
ଓଷା ପରବରେ
ହସି ଉଠେ ମୋର ଗାଆଁ ।
ଯିଏ ଥାଉ ପଛେ
ଦୂର ରାଇଜରେ
ପହଞ୍ଚି ଯାଆନ୍ତି ଛାଆଁ ।।
କିଏ ଦାଦା ଖୁଡ଼ି
କିଏ ଆଈ ବୁଢୀ
କିଏ ଅବା ଜେଜେ ବାପା ।
କିଏ ବଡ଼ବାପା
କିଏ ପୁଣି ଭାଇ
କିଏ ହୋଇଥାଏ ଅପା ।।
ସଭିଙ୍କୁ କୋଳେଇ
ସଭିଙ୍କୁ ଭେଳେଇ
ଗାଆଁ ମୋର ଉଠେ ହସି ।
ଯେଝା କାମେ ସବୁ
ଲାଗି ପଡ଼ିଥାନ୍ତି
କେହି ନ ରୁହନ୍ତି ବସି ।।
‘ଈଶାଣେଶ୍ୱର’ ଓ
‘ପ୍ରଭୁ ଦାରୁବ୍ରହ୍ମ’
ସାଥେ କେତେ ଦେବାଦେବୀ ।
କେଉଁ କାଳୁ ସବୁ
ପୂଜା ପାଉଛନ୍ତି
ଆମେ ଖୁସି ତାଙ୍କୁ ସେବୀ ।।
ଗ୍ରାମଦେବତୀ ସେ
‘ମାଆ ପଣସେଇ’
ବସିଛନ୍ତି ଗାଆଁ ମୁଣ୍ଡେ ।
ବିପଦେ ଆପଦେ
ସାହା ହୋଇଥାଏ
(ତା’ର) ନାଆଁ ଧରିଦେଲେ ତୁଣ୍ଡେ ।।
ସଞ୍ଜ ହୋଇଗଲେ
ଭାଗବତ ଘରେ
ସଭିଏଁ ହୁଅନ୍ତି ରୁଣ୍ଡ ।
ଗାଆଁ ଭଲ ମନ୍ଦ
ବୁଝନ୍ତି ମୁରବୀ
ହୁଏ ନାହିଁ ପାଟିତୁଣ୍ଡ ।।
ଏଇ ମାଟି କୋଳେ
ଜନମିଛି ଦିନେ
ଏ ମାଟିରେ ଯିବି ଝଡ଼ି ।
ସରଗଠୁଁ ବଳି
ଏଇ ମୋର ଗାଆଁ
ଧୂଳିରେ ଯିବି ତା’ ଗଡ଼ି ।।
ଯେଉଁଠାରେ ଥାଏ
ଯେମିତି ମୁଁ ଥାଏ
ନ ଭୁଲିବି ତାକୁ ବାରେ ।
ମୋ ପାଇଁ ମୋ
ଗାଆଁଟି ସୁନ୍ଦର
ଶହେଟି ମୁଣ୍ଡିଆ ତା’ରେ ।।