ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୧ ଜୁନ୍ ୨୦୨୩
ମୁଁ ନିହାତି ହୀନ ବାଲିକଣାଟିଏ
ତୁମ ବଡ଼ ଦାଣ୍ଡର
ଧୂସର ଜୀବନେ ବହୁ ବେଦନାର
ମୁଁ ଏକ କରୁଣ ସ୍ଵର ।୧।
ବାଇଶି ପାହାଚେ ମୃଦଙ୍ଗ ହୋଇ
ଗଡ଼ିବାକୁ ମନ କରି
ଆକାଶ କୁସୁମ ଧରିବା ଆଶାରେ
ଅକାରଣେ ଗଲି ହାରି
ମୋ ଚାରିପାଖରେ ଫୁଲ ଫୁଟେ ବିଷାଦର
ମୁଁ ନିହାତି ହୀନ ବାଲିକଣାଟିଏ
ତୁମ ବଡ଼ ଦାଣ୍ଡର ।୨।
ଛାଡ଼ିଯିବି ଦିନେ ଏ ମାୟା ସଂସାର
ସବୁ ମୋହ ଜୀବନର
ସଜଳ ଆକାଶେ କଜଳପାତିର
ମନ ଭୁଲାଣିଆ ସ୍ଵର
ମୁଁ ନିହାତି ହୀନ ବାଲିକଣାଟିଏ
ତୁମ ସେ ବଡ଼ ଦାଣ୍ଡର ।୩।