ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୨ ନଭେମ୍ବର ୨୦୨୨
ଏତେ ବର୍ଷ ବିତିଗଲା ପ୍ରେମରେ
ପୁରା ଗୋଟେ ଜୀବନ
ଯାହା ସହ ଦେଖାହେଲି
ଲାଗିଲା,ଭଲ ହେଇଥାନ୍ତା ଦେଖା ନହେଇଥିଲେ
ଯାହା ସହ ଦେଖା ହେଇପାରିଲିନି
ତାକୁ ଝୁରିହେଲି ତମାମ୍ ଦିନ ରାତି
କେହି ଜଣେ ତ ଦେଖୁଛି
କେବେ, କେଉଁଠି, କେମିତି
ଜଣାନାହିଁ, ହେଲେ କେହି ଜଣେ ଦେଖୁଛି ନିଶ୍ଚୟ !
ସେଦିନଠୁ ଚୁପଚାପ୍ ଠିଆ ହୋଇଛି ମୁଖଶାଳା
ଭାଙ୍ଗି ଗଲାଣି, ହେଲେ ଚମକ ଯାଇନି
ସମୟ ସହ ସହବାସ କେତେ କଷ୍ଟ ସତରେ
ଚାଲି ଯାଉଥାନ୍ତି ଅନେକ ଲୋକ
ନଥାଏ ହିସାବ
ଗୋଟେ ଅଜଣା ଛକରେ ଠିଆ ହେଇଥାଉ
ମୁଁ, ମୁଖଶାଳା ଓ ମୋର
ଗଲାଦିନ, ଆଜି ଓ ଆସନ୍ତାକାଲି
ଗୋଟେ ଅଦୃଶ୍ୟ ପତାକା ଉଡ଼େଇ
ନିର୍ବିକଳ୍ପ
ବେଳେ ବେଳେ ଭାରି ଇଚ୍ଛା ହୁଏ
ସୀମିତ ଏ ଜୀବନକୁ ଏମିତି ବଢ଼େଇ ଦେବି ଯେ
କେହି ଛୁଇଁ ପାରୁନଥିବେ
କିଏ ଜଣେ ମନାକରେ
କାହିଁକି କେଜାଣି !
ନିଜ ଅନିଛାସତ୍ତ୍ଵେ ମୁଁ ଚିରକାଳ
ହେଇ ଯାଉଥାଏ ସୀମାବଦ୍ଧ
ଆଜିକାଲି ସବୁଦିନ ବେଖବର
ସରକାରୀ ଘୋଷଣାନାମାରେ ଚାଲୁଥାଏ ଦେଶ
ଅଲୋଡ଼ା, ଅଚିହ୍ନା ଶୋଭାଯାତ୍ରାରେ
ଅଗଣିତ ମଣିଷ
ବାସ୍ , ଏଇଠି ସରୁ
ବାରମ୍ବାର କହୁଥାଏ ମୁଁ
ସରେ ନାହିଁ ଯାତ୍ରା
ପ୍ରତିମୁହୂର୍ତ୍ତରେ ଭାଙ୍ଗି ପଡୁଥାଏ ମୋର ମନ୍ଦିର
ଅଚିହ୍ନା ଲାଗୁଥାଏ ମୁଖଶାଳା,ମୋ ନିଷ୍ପ୍ରଭ ଅତୀତ
ମୋ ସ୍ଥବିର ଇତିହାସ !