ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୩ ଅଗଷ୍ଟ ୨୦୨୩
ନାକକାନ୍ଦୁରୀ ସେ
ତମ ଗାଁ ଝିଅ
କଂଚନ ଫୁଲ ଦେହ
ସବୁଜ ସଜଳ ଗାଁ ପୋଖରୀର କଇଁ
ଗୋଡ଼ିବାଣ ଫୁଲେ ଝଟକୁଥାଏ ତା ଦେହ
ପେଡ଼ିରେ ସାଇତି ରଖିଥାଏ ତା’ର
ହୀରା ନୀଳା ଆଉ ମୋତି ମାଣିକ୍ୟର ସ୍ନେହ
ନାକକାନ୍ଦୁରୀ ସେ ତମ ଗାଁ ଝିଅ
କଂଚନ ଫୁଲ ଦେହ ।
ପାରଦ ଖରାରେ
ଝଲମଲ ତମ ଗାଁ
ଆଷାଢ଼ ଶାଢ଼ିରେ ଘୋଡ଼େଇ ଘାଡ଼େଇ
ହାତ ଠାରି ଡାକେ ମୋତେ
କଷି ଆମ୍ବ ଡେମ୍ଫ ସଜ ପଖାଳର ଗାଁ
ଯେଉଁଠି ମିଶିଛି ବଡ଼ମା’ ଆଖିର ଲୁହ
ଲୁହ ବିନ୍ଦୁଏ କେମିତି କେଜାଣି
ପାଲଟି ଯାଇଛି
ମୁଠାଏ ଫୁଲର ମାୟା ।