ସସ୍ମିତା ପଣ୍ଡା, ୨୯ ସେପ୍ଟେମ୍ବର ୨୦୨୨
ତୁମ ମନ୍ଦହାସେ ଉତ୍ପନ୍ନ ବ୍ରହ୍ମାଣ୍ଡ
ସୂର୍ଯ୍ୟାଲୋକ ଅବସ୍ଥିତା।
ଅଜ୍ଞାନ ଅନ୍ଧାରେ ହଜିଯାଉଥିବା
ମୁଁ ଏକ ପ୍ରାଣସତ୍ତା ।।
ତୁମେ ଆଦିମାତା ବିଶ୍ବ ରଚନାରେ
ଦୀପ୍ତ ଦର୍ଶନର ଆଭା ।
ତୁମରି କୃପାର ପ୍ରକୃତି ପ୍ରାଣେ ମୁଁ
ନିବିଡ଼ ସୂତ୍ରରେ ବନ୍ଧା ।।
ତୁମେ ଅଷ୍ଟଭୂଜା ଓଁକାର ରୂପିଣୀ
ହସ୍ତେ ସିଦ୍ଧ ଜପାମାଳି ।
ସଂସାର ମାୟାରେ ଅନୁବନ୍ଧିତ ମୁଁ
ଅର୍ଚ୍ଚନାର ପୂଜାଥାଳି ।
ତୁମେ ଅମୃତର ପ୍ରଣବ ଚେତନା
ବ୍ରହ୍ମାଣ୍ଡର ପ୍ରାଣତନ୍ତ୍ରୀ ।
ସମ୍ଭାବନାମୟ ମନ ଚୌହଦୀ ମୁଁ
ଅଗମ୍ୟ ପଥର ଯାତ୍ରୀ ।।
ତୁମେ ଉଦ୍ଭାସିତ ଦଶଦିଗ ବ୍ୟାପି
ତେଜୋଦୀପ୍ତ ଭାବଧାରା ।
ଶରତ ଶରୀରେ ସବୁଜ କଳା ମୁଁ
ସନ୍ଧ୍ୟାର ସ୍ତବକ ପରା ।।
ଶାର୍ଦ୍ଦୁଳ ବାହିନୀ କୁଷ୍ମାଣ୍ଡା ତନ୍ତ୍ରରେ
ବୀଜମନ୍ତ୍ର ଆଦ୍ୟାକ୍ଷରୀ ।
ଅନାହତ ଚକ୍ରେ ବିନ୍ଦୁଏ ଲୟ ମୁଁ
ତୁମ ସ୍ଥିତି ଅନୁସରି ।।