ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ଫେବୃଆରୀ ୨୦୨୩
ଭାବୁଛି ଆଉ କହିବିନି କଥା
ଲେଖିବିନି ବି କବିତା
ମୁଁ କେଉଁଠି ନାହିଁ
ଆଜିକାଲି
ନା ପୁରୀ ନା କଟକ ନା ଉମରକୋଟ
ନା ଲକ୍ଷ୍ନୌ ନା ଭୁବନେଶ୍ୱର ନା ଦିଲ୍ଲୀ
ନା ଶିଲଂ
କେଉଁଠି ହଜିଗଲି କେଜାଣି !
କିଛି ଅଧାଲେଖା କବିତା
କିଛି ଅଧାକୁହା ଗପ
କିଛି ଅଧାଅଙ୍କା ଚିତ୍ରର କାନଭାସ୍
ମୁଁ ଏକ ଅସରନ୍ତି ଗୀତ
ନିଜ ଭିତରେ ଜଳି ଜଳି ମରିଯିବି
କାହା ସାହାଯ୍ୟ ଦରକାର ନାହିଁ
ଅଲୋଡ଼ା ଅନାମଧେୟ ଲୋକଟିଏ
ପୃଥିବୀର ଶୋଭାଯାତ୍ରାରେ
ମୁଁ ଗାଇପାରୁନି ଗୀତ ଆଗଭଳି
ଲେଖିପାରୁନି ପଦେ ବି
ହେଲେ ଡୁବିଯାଉଥିବା ଜାହାଜକୁ ଛାଡ଼ି
ଯାଇପାରୁନି ଆଗକୁ
ଏ କେମିତି ସକାଳ କହିଲ ?
ଯେଉଁଠି ପ୍ରତି ଶେଷ
ଦେଉଥାଏ ଆରମ୍ଭର ଭ୍ରମ
ଆରମ୍ଭ ହେଉଥାଏ ହେଇପାରୁନଥାଏ
ସରି ଆସୁଛି କି ଏବେ
ମୋ ଦିନ ସବୁ !
ମୋ ସହର ଲୋକେ ଭୁଲିଗଲେଣି କି
ଯେ ମୁଁ ବି ଥିଲି କେବେ ଏଠି—-
କେତେ କଷ୍ଟ ଭିଡ଼ରେ ହଜିଯିବା
ଏକାଏକା !
ଚୁପଚାପ୍ ହଜିଯାଉଥିବା ଫଟୋମାନଙ୍କ ଭିଡ଼ରେ
କିଏ କେଉଁଠି ଅଛ
ଆସ ଭାଇ, ଆସ
ଖବର ଦିଅ
ହଜିଯାଇଥିବା ଲୋକଟିର
ନିଖୋଜ ଫଟୋମାନଙ୍କରେ !