ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ମାର୍ଚ୍ଚ ୨୦୨୪
କେବେଠୁ ନିରବରେ ଝିଟିପିଟି
ବଞ୍ଚେଇ ଚାଲିଛି ଜୀବନ
କାନ୍ଥରେ
ଓ ମୁଁ ମୋ ଶୋଇବା ଘରେ
ଆମେ ଦୁହେଁ ଏକା ପଥର ଯାତ୍ରୀ
ଅନେକ ଦିନରୁ
ଫରକ୍ ଏତିକି
ତାକୁ ଲାଞ୍ଜ ଛାଡ଼ି ପଳେଇବା
ମୋତେ ନିଜକୁ ବଞ୍ଚେଇବା
ଜଣା ନାହିଁ
ଝିଟିପିଟି ଡାହାଣପଟେ ପଡିଲେ
ହୁଏ ରାଜଯୋଗ
ଏକଥା କୁହନ୍ତି ଜ୍ୟୋତିଷ
ଅନ୍ଯ କୋଉଠି କି କି ଯୋଗ ବି ଥାଏ
ମୋର କିଛି ଯୋଗ ହୁଏନି
କିଛି ଘଟେନି ଆକସ୍ମିକ
ରାଜଯୋଗ କି
ପ୍ରଜା ଯୋଗ, କି ଭୋଗ
ଦୁର୍ଯୋଗ ସବୁବେଳେ ଥାଏ ମୋ ସାଙ୍ଗରେ
ଓ ମୁଁ ତାକୁ କାନ୍ଧରେ ବୋହି
ବିକ୍ରମାଦିତ୍ୟ ହୋଇ ଆଗକୁ ବଢୁଥାଏ
ବେତାଳ ସାଙ୍ଗେ ସାଙ୍ଗ ହୋଇ
ଏମିତି ସବୁବେଳେ ଘଟୁଥାଏ
ନିରବରେ।