ମାନସ ରଂଜନ ମହାପାତ୍ର, ପୁରୀ, ୨୧ ଡିସେମ୍ବର ୨୦୨୩
ଥରେ ମାଗିଦେଇଛି
ବାରମ୍ବାର ହାତ ପତେଇପାରିବି ନାହିଁ
ଇଛାହେଲେ ଦେବ
ନହେଲେ ମନାକରି ଫେରେଇ ଦେବ
ଯାତ୍ରା ସରିଗଲାଣି
ଏବେ ଫେରିବାର ବେଳ
ଯିଏ ଯାହା ଯାମାଯୋଡ଼, ବକସିସ୍ ପାଇଲେ
ନେଇ ଫେରିଗଲେଣି
ମୁଁ ତୁମ ବଡ଼ଦାଣ୍ଡରେ
ହାତପତେଇ ଠିଆହୋଇଛି
କେଉଁ ଅନନ୍ତକାଳରୁ
ବହୁ ଭିକାରୀ ତୁମ କରୁଣାରୁ
ଏ ଭିତରେ କୋଟିପତି ହୋଇଗଲେଣି, ଜାଣ !
ଏବେ ଉତ୍ସବ କରି ବଖାଣୁଛନ୍ତି
ଗୁଣଗ୍ରାମ
ତୁମେ ଚୁପଚାପ୍ ଦାରୁଭୂତ ମୁରାରି
ଏବେ ଉଠ, କେବେଠୁ ଶୋଇଛ ଅନନ୍ତ ଶୟନରେ କହିଲ !
ଆଜି ଶେଷଦିନ
କାଲିକୁ ମାଗିବାକୁ ମୁଁ ନଥିବି
ତୁମେ ଥିବତ !