ଆଲୋକ କୁମାର ପ୍ରଧାନ, ପୁରୀ, ୧ ଜାନୁଆରୀ ୨୦୨୪
କ୍ୟାଲେଣ୍ଡର ଶେଷପୃଷ୍ଠା ଉଡ଼ିଗଲା ସମୟ ସାଥିରେ।
କିଛି କଥା କଥାହୋଇ ରହିଗଲା ତଥାପି ମନରେ ।।
କିଛି ତ ଲଟେଇଗଲେ ଫେରିଗଲେ ଫେରିବେନି କହି।
ଗୁଡ଼ି ଛଡ଼ା ସୂତାପରି ଖୋଜିଖୋଜି ଆପଣା ନଟେଇ।।
ଯାଇଛି ଯା ଫେରିନାହିଁ ଫେରିବାର ବାହାନା ବଢ଼ିଛି।
ଦିନ, ବର୍ଷ, ମାସ ଯାଇ ନୂଆବର୍ଷ ପୁରୁଣା ହୋଇଛି।।
ସେ ବର୍ଷର କଥାସବୁ ଏବେ ଏବେ ଉପକଥା ହେଲେ।
ସମୟ ସାଥିରେ ଚାଲି ଅନିଛାରେ କୁହୁଡ଼ି ହୋଇଲେ।।
ବିଡ଼ମ୍ବିତ ବିଶ୍ବାସର ଭଙ୍ଗାଦେହେ ଉଦୟ ଓ ଅସ୍ତ।
ରାତିକ ଡେଇଁଲା ପରେ ଦୋଦୋଚିହ୍ନା ଲାଗିବାଟା ସତ।।
ପୁଟଚଢା ନୂଆବର୍ଷ ସମୟର ଚିହ୍ନା ପ୍ରତାରକ।
ଆଞ୍ଜୁଳେ ନିଦ ଦେହରେ ଦିବା ସ୍ୱପ୍ନ ଦିଶେ ଜକଜକ।।
ତଥାପି ପୁରୁଣା ଡେଇଁ ନୂଆଟିଏ ଆସେ ଖୋଜିଖୋଜି।
ନୂଆକାନ୍ଧେ ମଥାରଖି ପୁରୁଣା ତ ଢୁଳାଏ ଆଉଜି।।